ଭୁବନେଶ୍ୱର : ରାଜ୍ୟର ୧୫ଟି ଜିଲ୍ଲାର ୪୯ଟି ବୈଷୟିକ ଅନୁଷ୍ଠାନରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଦ୍ୱାରା ପରିଚାଳିତ ସମସ୍ତ ଶିକ୍ଷକ ଶିକ୍ଷା ଅନୁଷ୍ଠାନମାନଙ୍କରେ ନାମଲେଖା ପାଇଁ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷା ଅଗଷ୍ଟ ମାସ ୭ ତାରିଖଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଛାତ୍ରଛାତ୍ରୀମାନେ ପରୀକ୍ଷା ନିମନ୍ତେ ଉଦ୍ଦିଷ୍ଟ ଆଡ୍ମିଟ୍ କାର୍ଡ, ସେମାନଙ୍କର ନିଜସ୍ୱ ଲଗ୍ଇନ୍ ମାଧ୍ୟମରେ ଡାଉନ୍ଲୋଡ୍ କରିପାରିବେ । ୫ଟି ଅନୁଷ୍ଠାନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଅନୁଷ୍ଠାନମାନଙ୍କରେ ପ୍ରତ୍ୟେକ ଦିନ ୪ଟି ପର୍ଯ୍ୟାୟରେ ପ୍ରବେଶିକା ପରୀକ୍ଷା କରାଯିବା ପାଇଁ ସ୍ଥିର
କରାଯାଇଅଛି । ଛାତ୍ରଛାତ୍ରୀମାନେ ପରୀକ୍ଷା ଆରମ୍ଭର ଅଧଘଣ୍ଟାଏ ଆଗରୁ ଆଡ୍ମିଟ୍ କାର୍ଡ ସହିତ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ଆବଶ୍ୟକ । ଆଡ୍ମିଟ୍ କାର୍ଡରେ ପ୍ରଦତ୍ତ ନିର୍ଦ୍ଦେଶାବଳୀ ପାଳନ କରିବା ବାଞ୍ଛନୀୟ । ପ୍ରତ୍ୟେକ ପାଠ୍ୟକ୍ରମ ନିମନ୍ତେ ନିର୍ଦ୍ଦିଷ୍ଟ ତାରିଖ ଏବଂ ପର୍ଯ୍ୟାୟର ସମୟ ନିର୍ଘଣ୍ଟ ସ୍ଥିର କରାଯାଇଅଛି । ଅଗଷ୍ଟ ୯ରୁ ୧୪ ତାରିଖ ପର୍ଯ୍ୟନ୍ତ ଡିପ୍ଳୋମା ଇନ୍ ଏଲିମେଣ୍ଟାରୀ ଏଜୁକେଶନ(ଓଡ଼ିଆ), ୯ ତାରିଖରେ ତେଲୁଗୁ, ଉର୍ଦ୍ଦୁ ଓ ସାନ୍ତାଳୀ(ଅଲ୍ଚିକି)ଭାଷାରେ ପରୀକ୍ଷା ହେବ । ୭ ଓ ୮ ତାରିଖରେ ବିଏଡ୍(କଳା) ଏବଂ ୮ ଓ ୯ ତାରିଖରେ ବିଏଡ୍ (ବିଜ୍ଞାନ) ପରୀକ୍ଷା କରାଯିବ । ଅଗଷ୍ଟ ୧୦ ତାରିଖ ବିଏଡ୍ ( ହିନ୍ଦି), ବିପିଏଡ୍, ଏମ୍ଏଡ୍ ଓ ଏମ୍ଫିଲ୍ରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା
ହେବ । ପ୍ରତ୍ୟହ ୪ଟି ବ୍ୟାଚ୍ରେ ପରୀକ୍ଷା ହେବ । ପ୍ରଥମ ବ୍ୟାଚ୍ ପାଇଁ ପୂର୍ବାହ୍ନ ଘ.୮.୩୦ରୁ ୧୦ଟା, ଦ୍ୱିତୀୟ ବ୍ୟାଚ୍ ପାଇଁ ପୂର୍ବାହ୍ନ ୧୧ଟା ୧୫ରୁ ୧୨ଟା ୪୫, ତୃତୀୟ ବ୍ୟାଚ୍ ପାଇଁ ଅପରାହ୍ନ ୨ଟାରୁ ୩ଟା ୩୦ ଓ ଚତୁର୍ଥ ବ୍ୟାଚ୍ ପାଇଁ ଅପରାହ୍ନ ୪ଟା ୪୫ରୁ ସନ୍ଧ୍ୟା ୬ଟା ୧୫ମିନିଟ୍ ପର୍ଯ୍ୟନ୍ତ ସମୟ ନିର୍ଘଣ୍ଟ ସ୍ଥିର କରାଯାଇଛି । ଛାତ୍ରଛାତ୍ରୀମାନେ ପରୀକ୍ଷା ନିମନ୍ତେ ଦିଆଯାଇଥିବା ନିର୍ଦ୍ଦିଷ୍ଟ ଜିଲ୍ଲା, ପରୀକ୍ଷା କେନ୍ଦ୍ରର ନାମ ଏବଂ ବିରରଣୀ, ନିର୍ଦ୍ଦିଷ୍ଟ ପାଠ୍ୟକ୍ରମ ପାଇଁ ନିର୍ଦ୍ଦିଷ୍ଟ ତାରିଖ ଏବଂ ସମୟ ଇତ୍ୟାଦି ଆଡ୍ମିଟ୍ କାର୍ଡ ମାଧ୍ୟମରେ ଜାଣିପାରିବେ ବୋଲି ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକଙ୍କ ସୂତ୍ରରୁ ପ୍ରକାଶ ।


