ଭୁବନେଶ୍ୱର : କୋରାପୁଟ ଜିଲ୍ଲାର ବିଚ୍ଛିନ୍ନାଂଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୁରୁପ୍ରିୟା ସେତୁ ବିଚ୍ଛିନ୍ନ ହୋଇଥିବା ୧୫୧ଟି ଗାଁର ପରିଚୟନ ବଦଳାଇ ଦେଇଛି । ସାତ ଦଶନ୍ଧି ଧରି ବିଚ୍ଛିନ୍ନ ହୋଇ ରହିଥିବା ଏହି ଅଂଚଳ ଆଜିଠୁ ନୂଆ ପରିଚୟ ପାଇଛି । ଏବେଠାରୁ ମାଲକାନଗିରିର ଏହି ଅଂଚଳରୁ ବିଚ୍ଛିନ୍ନ ଶବ୍ଦଟି ଇତିହାସକୁ ଚାଲିଗଲା । ଆଜିଠାରୁ ଏହି ଅଂଚଳ ସ୍ୱାଭିମାନ ଅଂଚଳ ଭାବରେ ବିକାଶର ନୂଆ ପରିଚୟ ସୃଷ୍ଟି କଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱାଭିମାନ ଅଂଚଳ ପାଇଁ ୧୦୦କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ । ଏହି ପ୍ୟାକେଜର କାର୍ଯ୍ୟକ୍ରମକୁ ସେ ନିଜେ ତଦାରଖ କରିବେ ବୋଲି କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଗୁରୁପ୍ରିୟା ସେତୁ ଓଡ଼ିଶା ବିକାଶ ଇତିହାସର ଏକ ନୂଆ ମାଇଲଖୁଂଟ ହେବା ସହିତ ଶାନ୍ତି,ସହଯୋଗ ଓ ବିକାଶର ପ୍ରତୀକ ହୋଇ ରହିବ । ୨୦୧୪ରେ ଆରମ୍ଭ ହୋଇ ମାତ୍ର ୪ବର୍ଷରେ ଏହି ସେତୁ ସମ୍ପୂର୍ଣ୍ଣ ହୋଇଛି । ଏହା ଓଡ଼ିଶାର ଦୃଢ଼ ଇଚ୍ଛା ଶକ୍ତିର ଏକ ପ୍ରତୀକ । ଏହି ସେତୁ ଓଡ଼ିଶାର ଆତ୍ମବିଶ୍ୱାସ ବୃଦ୍ଧି କରିବା ସହିତ ଓଡ଼ିଶା ସ୍ୱାଭିମାନର ବାର୍ତା ଦେଇଛି । ମୁଖ୍ୟମନ୍ତ୍ରୀ ଏହି ଅବସରରେ ମାଲକାନଗିରିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠା ଓ ଅନ୍ୟାନ୍ୟ ପ୍ରକଳ୍ପର ଉଦ୍ଘାଟନ କରିଥିଲେ । ସୂଚନାଯୋଗ୍ୟ ୧୯୪୦ ଦଶକରୁ ମାଲକାନଗିରିର ୧୫୧ଟି ଗାଁ ମୁଖ୍ୟ ଅଂଚଳରୁ ବିଚ୍ଛିନ୍ନ ହୋଇଯାଇଥିଲା । ୧୯୬୦ ଦଶକରେ ଏଠାରେ ମାଛକୁଣ୍ଡ ଜଳସେଚନ ଯୋଜନା ଓ ଅଶୀଦଶକରେ ବାଲିମେଳା ଯୋଜନା କାର୍ଯ୍ୟକାରୀ ହୋଇଥିଲା । ୧୯୮୬ରେ ଗୁରୁପ୍ରିୟା ସେତୁ ସ୍ଥାପନ ପାଇଁ ପ୍ରସ୍ତାବ ରଖାଯାଇଥିଲା । କିନ୍ତୁ ଏହି ୯୧୦ ମିଟର ସେତୁ ନିର୍ମାଣ ପ୍ରୟାସ କାର୍ଯ୍ୟ ଅନେକ ବର୍ଷ ଧରି ବିଫଳ ହେବା ପରେ ୨୦୧୪ ମସିହାରେ ରାଜ୍ୟ ସରକାର ନିଜେ ଏହାର ନିର୍ମାଣ କାର୍ଯ୍ୟ ହାତକୁ ନେଇଥିଲେ । ଏହି ପ୍ରକଳ୍ପରେ ମୋଟ ୧୮୭.୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।


