Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

କଟକରେ ମୋଦି : ନବୀନଙ୍କ ନାଁ ଧରିଲେନି, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ

ନବୀନଙ୍କ ନାଁ ଧରିଲେନି, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମୋଦି
କଟକ : କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରର ୪ବର୍ଷର ରିପୋର୍ଟ କାର୍ଡକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥାପନ କରିଛନ୍ତି । କଟକରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ନିଜ ସରକାରର ସଫଳତା ସମ୍ପର୍କରେ ବିସ୍ତୃତ ତାଲିକା ଦେବା ସହ ଦେଶରେ ଏବେ କନଫ୍ୟୁଜନ ନୁହେଁ କମିଟମେଂଟ ସରକାର ଚାଲିଥିବା କହିଛନ୍ତି । ଏହା ସହିତ ସେ ମହାନଦୀ ଓ ସ୍ୱାସ୍ଥ୍ୟସେବା ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କୁ କଟୂ ସମାଲୋଚନା କରିଛନ୍ତି । ଅବଶ୍ୟ ଏକ ଘଂଟାରୁ ଊଦ୍ଧ୍ୱର୍ ନିଜର ଭାଷଣରେ ମୋଦି ଥରେ ବି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ଉଚ୍ଚାରଣ କରିନଥିଲେ ।
କଟକରେ ନିର୍ଦ୍ଧାରିତ ସମୟର ପ୍ରାୟ ଦେଢ଼ ଘଂଟା ବିଳମ୍ବରେ ପହଂଚିଥିବା ପ୍ରଧାନମନ୍ତ୍ରୀ ମୋଦି ମହାନଦୀ ପ୍ରସଙ୍ଗରେ ସିଧାସଳଖ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିଛନ୍ତି । ସେ କହିଥିଲେ ଯେ, ଏତେ ବର୍ଷ ଶାସନ କଲା ପରେ ବି ରାଜ୍ୟରେ କ୍ଷମତାସୀନ ସରକାର ମହାନଦୀ ଜଳର ସଠିକ୍ ଉପଯୋଗ ନିମନ୍ତେ ବ୍ୟବସ୍ଥା କରିପାରିଲାନି । ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଉଦ୍ୟମ କରିଥିଲେ କିନ୍ତୁ ଓଡ଼ିଶା ସରକାର ପଛଘୁଂଚା ଦେଲେ । କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଥିବାବେଳେ ରାଜ୍ୟ ସରକାର ଏଠାକାର ଗରିବ ଚାଷୀଙ୍କୁ କେବଳ ବିଭ୍ରାନ୍ତ କରୁଛି । ସବୁଠୁ ବଡ଼ ପ୍ରମାଣ ହେଉଛି ମହାନଦୀ ଜଳକୁ ନେଇ ରାଜ୍ୟ ସରକାର ଉଠାଇଥିବା ବିବାଦ । ମହାନଦୀ ଜଳ ଅଧାରୁ ଅଧିକ ସମୁଦ୍ରକୁ ଚାଲଯାଉଛି ବୋଲି ବିଧାନସଭାରେ ଓଡ଼ିଶା ସରକାର ନିଜେ ସ୍ୱୀକାର କରିସାରିଛନ୍ତି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମହାନଦୀ ବିବାଦର ସମୟୋଚିତ ସମାଧାନ ନିମନ୍ତେ ପ୍ରସ୍ତାବ ଦେଇଥିଲେ । କିନ୍ତୁ ରାଜ୍ୟ ସରକାର ଏଥିରେ ସହଯୋଗ କଲାନି । ମହାନଦୀ ଜଳରୁ କିପରି ଗରିବ ଚାଷୀମାନେ ଲାଭ ପାଇବେ ସେ ନେଇ କୌଣସି ବ୍ୟବସ୍ଥା ଏପର୍ଯ୍ୟନ୍ତ ରାଜ୍ୟ ସରକାର ବିକଶିତ କରିପାରିଲେନି । ମହାନଦୀ ଜଳ କିପରି ଚାଷ ଜମିକୁ ପହଂଚିବ ସେଥିପାଇଁ ବି କିଛି ବ୍ୟବସ୍ଥା କଲେନି । ଦୀର୍ଘ ୨୦ବର୍ଷ ହେଲା ଲୋଏର ଇନ୍ଦ୍ର ଜଳସେଚନ ପ୍ରକଳ୍ପ କାହିଁକି ପଡ଼ି ରହିଛି ବୋଲି ମୋଦି ପ୍ରଶ୍ନ କରିବା ସହ ସିଣ୍ଡୋଲ ପ୍ରକଳ୍ପ କଥା ଉଠାଇଥିଲେ । କେବଳ ମହାନଦୀ ନୁହେଁ ଓଡ଼ିଶାରେ ଆହୁରି ୫ଟି ନଦୀ ଥିବାବେଳେ ସେଗୁଡ଼ିକର ଜଳ କିପରି ସଠିକ୍ ବ୍ୟବହାର ହୋଇପାରିବ ସେନେଇ ରାଜ୍ୟ ସରକାର କିଛି ବି କରିନଥିବା ସେ କହିଛନ୍ତି । ଓଡ଼ିଶାରେ ଜଳସେଚନର ବିକାଶ କାର୍ଯ୍ୟ କେନ୍ଦ୍ର ସରକାର ନିଜ ହାତକୁ ନେଇଛନ୍ତି । ଚାଷୀଙ୍କ ନିକଟରେ ଜଳସେଚନ ସୁବିଧା ପହଂଚାଇବା ପାଇଁ ୮୫ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।
ସେହିପରି ସ୍ୱାସ୍ଥ୍ୟସେବା ଉପରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରି ମୋଦି କହିଥିଲେ ଯେ, ପୂର୍ବ ଭାରତରେ ସ୍ୱାସ୍ଥ୍ୟସେବା ଚିନ୍ତାଜନକ । ଓଡ଼ିଶା କଥା ନକହିବା ଭଲ । ଏଠାରେ ସ୍ୱାସ୍ଥ୍ୟ ସେବା ଅତ୍ୟନ୍ତ ଦୟନୀୟ । ଏଥିରୁ ରାଜ୍ୟ ସରକାର ତା’ର ଦାୟିତ୍ୱ ଠିକ୍ ଭାବେ ନିର୍ବାହ କରୁନଥିବା ଜଣାପଡ଼ୁଛି । ଯଦି ସରକାର ଠିକ୍ ଭାବେ ନିଜର କାର୍ଯ୍ୟ ତୁଲାଉଥାନ୍ତେ ତା’ହେଲେ ଆଦିବାସୀ ଅଧ୍ୟୁଷ୍ୟିତ ଅଂଚଳର ସ୍ୱାସ୍ଥ୍ୟସେବାର ଭୟଙ୍କର ଚିତ୍ର ଗଣମାଧ୍ୟମରେ ପ୍ରକାଶ ପାଉନଥାନ୍ତା । ଗରିବଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଂଚାଇବା ପାଇଁ ‘ଆୟୁଷମାନ ଭାରତ’ ଯୋଜନାରେ ଗାଁରେ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଉଛି । କଟକ,ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜଗୁଡ଼ିକୁ ଉନ୍ନୀତିକରଣ କରାଯାଉଛି । ସେଠାରେ କେବଳ ଚିକିତ୍ସା ନୁହେଁ ମେଡିକାଲ ଶିକ୍ଷା ଓ ରୋଜଗାର ବୃଦ୍ଧି ପାଇଁ ପ୍ରୟାସ ହେଉଛି । ଏହି ମେଡିକାଲ କଲେଜରୁ ଡାକ୍ତର ଓ ନର୍ସ ତିଆରି ହେବେ । ଦେଶ ପ୍ରଗତିରେ ହାତ ବଢ଼ାଇବେ ।
କଟକର ତାରକସୀ କାର୍ଯ୍ୟ, ନେତାଜୀ ସୁଭାଷ ବୋଷଙ୍କ କର୍ମଭୂମି କଥା କହି ମୋଦି କହିଥିଲେ ଯେ ଏନଡିଏ ସରକାରରେ ଥିବା ଲୋକ ଗରିବ ଘରୁ ଆସିଛନ୍ତି । ସେମାନେ ଗରିବର ଦୁଃଖ କ’ଣ ଜାଣିଛନ୍ତି । ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ସେ ନିଜେ ସାଧାରଣ ଘରୁ ଆସିଛନ୍ତି । ସୁନାଚାମଚ କଥା କ’ଣ ପିଲାବେଳେ ଚାମଚ ବି ପାଇନଥିଲେ । ଦେଶବାସୀଙ୍କ ବିକାଶ ପାଇଁ ଉଜ୍ୱଳା, ବେଟି ବଚାଓ ପ୍ରଧାନମନ୍ତ୍ରୀ ସିଂଚାଇ ଯୋଜନା କାର୍ଯ୍ୟକାରୀ ହେଉଛି । ଏବେ ଅବ୍ୟବସ୍ଥାରୁ ବ୍ୟବସ୍ଥା ଓ କୁଶାସନରୁ ସୁଶାସନକୁ ପରିବର୍ତନ ହୋଇଛି । ଦେଶ ଏବେ ଦ୍ରୁତ ଗତିରେ ପରିବର୍ତନ ଆଡ଼କୁ ମୁହାଁଇଛି । କଳାଧନ ବିରୋଧରେ ଲଢ଼େଇ ପାଇଁ ପ୍ରତିବଦ୍ଧତା ଜାହିର କରି ମୋଦି କହିଥିଲେ ଯେ ଗତ ୪ବର୍ଷ ମଧ୍ୟରେ ୩ହଜାର ସ୍ଥାନରେ ଚଢ଼ଉ ହୋଇ ୫୩ହଜାର କୋଟି ଟଙ୍କା ଠାବ କରାଯାଇଛି । ଏବେ ଦେଶର ୪ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେଲରେ ଅଛନ୍ତି ।
ବିରୋଧୀ ଦଳ ଏକଜୁଟ ହେବା ପ୍ରସଙ୍ଗରେ ମୋଦି କହିଛନ୍ତି ଯେ ଦୁର୍ନୀତିରେ ବୁଡ଼ି ରହିଥିବା କିଛି ଲୋକ ମିଶି ଏକାଠି ହୋଇ ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛନ୍ତି । ଏହି ଅବସରରେ ମୋଦି ନିଜ ସରକାରର ବିଭିନ୍ନ ଯୋଜନାର ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ ।
ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ତାଙ୍କୁ ରାଜ୍ୟପାଳ ସତ୍ୟ ପାଲ ମଲିକ, ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ପୁଲିସ୍ ଡିଜି ଆରପି ଶର୍ମାଙ୍କ ସମେତ ବିଜେପି ନେତାମାନେ ସ୍ୱାଗତ କରିଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦର ଯାଇନଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top