ଭୁବନେଶ୍ୱର : ରାଜ୍ୟରେ ଦୀର୍ଘ ୧୮ବର୍ଷ ଧରି କ୍ଷମତାରେ ଥିବା ବିଜେଡି ୨୦୧୯ ସାଧାରଣ ନିର୍ବାଚନ ପାଇଁ ନିଜର ରଣନୀତିରେ ପରିବର୍ତନ କରିଛି । ପ୍ରଥମଥର ପାଇଁ ଦଳ ନିଜର ଉଭୟ ବିଧାନସଭା ଓ ଲୋକସଭା ପାଇଁ ଟିକେଟ୍କୁ ବିନା ଲବିରେ ଦେବା ପାଇଁ ନିଷ୍ପତି ନେଇଛି । ପ୍ରାର୍ଥୀଙ୍କ ଦକ୍ଷତା, ସ୍ଥାନୀୟ ଅଂଚଳରେ ଲୋକପ୍ରିୟତା, ସୁପ୍ରିମୋଙ୍କ ପ୍ରତି ଆନୁଗତ୍ୟକୁ ହିଁ ଆଧାରରେ କରି ଦଳୀୟ ଟିକେଟ୍ ଦେବ । ଗତ ୫ମାସ ମଧ୍ୟରେ ୩ଟି ଭିନ୍ନ ଭିନ୍ନ ସଂସ୍ଥା ଦ୍ୱାରା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ହୋଇଥିବା ସର୍ଭେ, ଗୁଇନ୍ଦା ଓ ଜିଲ୍ଲା ପ୍ରଶାସନର ରିପୋର୍ଟକୁ ଆଧାର କରି ବିଜେଡି ରଣନୀତିକାର ଏଭଳି ଆଭିମୁଖ୍ୟ ଗ୍ରହଣ କରିଥିବା ଜଣାପଡ଼ିଛି । ହାୱାର୍ଡ ବିଶ୍ୱବିଦ୍ୟାଳୟ ଡିଗ୍ରୀଧାରୀ ଜଣେ ରଣନୀତିକାର, ସର୍ବଭାରତୀୟ ରାଜସ୍ୱ ସେବାର ଜଣେ ଅଧିକାରୀ ଓ ବିଜେଡିର ଜଣେ ମୁଖପାତ୍ରଙ୍କୁ ନେଇ ଗଠିତ ଟିମର ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରାଜ୍ୟବ୍ୟାପୀ ହୋଇଥିବା ସର୍ଭେର ଫଳାଫଳ ଦଳକୁ ଏଭଳି ରଣନୀତି ଆପଣାଇବାକୁ ବାଧ୍ୟ କରିଛି ।
ବିଜେଡିର ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ସର୍ଭେ ସମୟରେ ଦଳର ମୋଟ ୧୧୮ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୭୦ରୁ ଅଧିକ ବିଧାୟକଙ୍କ ପ୍ରଦର୍ଶନରେ ସ୍ଥାନୀୟ ଅଂଚଳବାସୀ ଖୁସି ନଥିବା କଥା ପଦାକୁ ଆସିଛି । ବିଶେଷକରି ଉପକୂଳ ଜିଲ୍ଲାଗୁଡ଼ିକରେ ବିଧାୟକମାନଙ୍କର ସ୍ଥିତି ତୃଣମୂଳସ୍ତରରେ ଠିକ୍ ନଥିବା ଓ ଲୋକଙ୍କର ସ୍ଥାନୀୟ ନେତାଙ୍କ ପ୍ରତି ଅସନ୍ତୋଷ ବଢ଼ିବାରେ ଲାଗିଛି । ଦିଲ୍ଲୀ ଓ ହାଇଦ୍ରାବାଦର ଦୁଇଟି ସଂସ୍ଥା ଦ୍ୱାରା ଦଳ ପକ୍ଷରୁ ସର୍ଭେ ପରେ ଓଡ଼ିଶାର ଏକ ସଂସ୍ଥା ଦ୍ୱାରା ଅନ୍ଲାଇନ୍ ସର୍ଭେ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି । ପ୍ରାୟତଃ ୩ଟି ଯାକ ସର୍ଭେ ଅନୁସାରେ ଏବେ ଯଦି ନିର୍ବାଚନ ହେବ ତା’ହେଲେ ଦଳକୁ ଅତିବେଶୀରେ ୮୦ରୁ ୮୫, ୮୦ରୁ ୯୦ ଓ ୮୫ରୁ ୯୫ ସିଟ୍ ମିଳିବ ବୋଲି ଆକଳନ କରାଯାଇଛି । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସମସ୍ତ ସର୍ଭେରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଅତୁଟ ରହିଛି । ଜଣେ ନିର୍ମଳ ଭାବମୂର୍ତି ସମ୍ପନ୍ନ ମୁଖମନ୍ତ୍ରୀ ଭାବେ ସେ ଏବେ ୬୮ରୁ ୭୫ ପ୍ରତିଶତ ଲୋକଙ୍କ ପ୍ରଥମ ପସନ୍ଦ ରହିଛନ୍ତି । ସୂତ୍ର ଅନୁସାରେ ଏହି ୩ଟି ଯାକ ସର୍ଭେ ରିପୋର୍ଟର ଫଳାଫଳ ଆସିବା ପରେ ଉକ୍ତ ୩ଜଣିଆ ଟିମ୍ ଦଳକୁ କେତେକ କାର୍ଯ୍ୟକ୍ରମ ହାତକୁ ନେବାକୁ ପରାମର୍ଶ ଦେଇଥିଲା । ଆଉ ଖାସ୍ ସେଇଥିପାଇଁ ମହାନଦୀ ବିବାଦର ସମାଧାନ ନିମନ୍ତେ ଟ୍ରିବ୍ୟୁନାଲ ଗଠନ ସତ୍ୱେ ଦଳ ମହାନଦୀ ନାଁରେ ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ହାତକୁ ନେଇ ଉପକୂଳ ଅଂଚଳରେ ନିଜର ଲୋକପ୍ରିୟତାକୁ ପରଖିବାକୁ ଚାହିଁଥିଲା । ମହାନଦୀ ମହାସଂଗ୍ରାମ ମାଧ୍ୟମରେ ଦଳ ନିଜର କର୍ମୀମାନଙ୍କ ମନରେ ପୁଣିଥରେ ଜୋସ୍ ବୃଦ୍ଧି କରିବା ସହ ସ୍ଥାନୀୟ ବିଧାୟକମାନଙ୍କ ପ୍ରତି ରହିଥିବା ଅସନ୍ତୋଷକୁ ମଧ୍ୟ ପରଖିବାର ସୁଯୋଗ ପାଇଛି । ବିଜେପୁର ଉପନିର୍ବାଚନରେ ଦଳର ବିପୁଳ ବିଜୟ ସତ୍ୱେ ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ଦଳୀୟ ସଂଗଠନ ପୂର୍ବ ତୁଳନାରେ ଦୁର୍ବଳ ହେବାରେ ଲାଗିଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ ଥିବା ସୂଚନା ମିଳିଛି । ସେହିପରି ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ନୟାଗଡ଼, ବଲାଙ୍ଗିର, ରାୟଗଡ଼ା, ସୋନପୁର, ଢେଙ୍କାନାଳ ଓ କଟକ ଜିଲ୍ଲାରେ ଦଳୀୟ ସଂଗଠନ ଓ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନାକୁ ନେଇ ମଧ୍ୟ ସର୍ଭେରେ ଚିନ୍ତାଜନକ ତଥ୍ୟ ପଦାକୁ ଆସିଛି । ଖାସ୍ ଏହି କାରଣରୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ସଂଗଠନକୁ ପୁଣିଥରେ ସକ୍ରିୟ କରିବା ପାଇଁ ଅଣଦେଖା ହୋଇ ପଡ଼ିଥିବା ବରିଷ୍ଠ ନେତା ରଘୁନାଥ ମହାନ୍ତିଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଛି । ତାଙ୍କୁ କ୍ୟାବିନେଟ୍ ପାହ୍ୟା ଦେଇ ସାଂଗଠନିକ କାର୍ଯ୍ୟ ଆଗେଇ ନେବାକୁ ଅନୁମତି ଦେଇଛି । ବାଲେଶ୍ୱର ସାଂସଦଙ୍କ ଭୂମିକାକୁ ଗୌଣ କରି ଏବେ ରଘୁଙ୍କୁ ଜିଲ୍ଲାରେ ଗୁରୁଦାୟିତ୍ୱ ଦେବାର ରଣନୀତି ପ୍ରସ୍ତୁତ ହୋଇଛି । ସେହିପରି ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲା ଏବେ ସମ୍ପୂର୍ଣ୍ଣ ଭାବେ ଦଳ ହାତରୁ ଖସିଯାଇଛି । ଏହି ଦୁଇ ବଡ଼ ଜିଲ୍ଲାରେ ଦଳ ନିଜର ୪-୫ ବିଧାୟକଙ୍କୁ ବି ବିଜୟୀ କରାଇବା ବର୍ତମାନ ସମୟରେ ଏକ ଚ୍ୟାଲେଞ୍ଜ ବୋଲି ସର୍ଭେ ରିପୋର୍ଟରୁ ଆଭାସ ମିଳିଛି । କୋରାପୁଟ, ରାୟଗଡ଼ା,ଢେଙ୍କାନାଳ ଓ ସୋନପୁର ଜିଲ୍ଲାରେ ଦଳୀୟ ନେତାଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ବିଜେପି ଏସବୁ ଜିଲ୍ଲାରେ ଦ୍ରୁତଗତିରେ ନିଜର ପ୍ରଭାବ ବିସ୍ତାର କରୁଛି । ଏସବୁ ଜିଲ୍ଲାରେ ପ୍ରୟ ୬୦ ପ୍ରତିଶତ ଦଳୀୟ ଅସନ୍ତୁଷ୍ଟ ନେତା ବିଜେପିକୁ ଲମ୍ଫ ମାରିବା ଚକ୍କରରେ ରହିଛନ୍ତି । ସେମାନଙ୍କୁ ମ୍ୟାନେଜ୍ କରିବା ଏବେ ଦଳ ପାଇଁ ଚ୍ୟାଲେଞ୍ଜ ହୋଇଛି । ସେହିପରି କଟକ, ଭଦ୍ରକ ଓ ନୟାଗଡ଼ ଜିଲ୍ଲାରେ ଦଳର ସ୍ଥାନୀୟ ନେତାମାନଙ୍କ ପ୍ରତି ଭୋଟରଙ୍କ ଆକ୍ରୋଶ ବଢ଼ିବାରେ ଲାଗିଛି । ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଦଳର ସଂଗଠନ ତୃଣମୂଳସ୍ତରରେ ଠିକ୍ ରହିଥିଲେ ମଧ୍ୟ ସ୍ଥାନୀୟ ନେତାମାନଙ୍କ ମଧ୍ୟରେ ଚାଲିଥିବା ଲଢ଼େଇରେ ଉଭୟ କର୍ମୀ ଓ ସାଧାରଣ ଭୋଟର ଅସନ୍ତୁଷ୍ଟ ଅଛନ୍ତି । ତିନି ରାଉଣ୍ଡର ସର୍ଭେ ପରେ ଏସବୁ ତଥ୍ୟ ପଦାକୁ ଆସିବା ପରେ ଦଳର ନୀତିନିର୍ଦ୍ଧାରଣକାରୀ ଟିମ୍ ଏବେ କୌଣସି ନେତାଙ୍କୁ ଲବିରେ ଟିକେଟ୍ ନଦେବା ପାଇଁ ନିଷ୍ପତି ନେଇଛି । କେବଳ ପାରିପାଶ୍ୱିର୍କ ସ୍ଥିତି ଓ ଅତ୍ୟନ୍ତ ଜରୁରୀ ପଡ଼ିଲେ ଦଳ ନିଜର ନିଷ୍ପତିକୁ ଅତିବେଶୀରେ ୪ରୁ ୫ଟି ସିଟ୍ରେ ପୁନର୍ବିାଚର କରିବ । କିନ୍ତୁ କୌଣସି ପରିସ୍ଥିତିରେ ଆଗ ଧାଡ଼ିର ନେତାମାନଙ୍କୁ ପୂର୍ବ ଭଳି ନିଜର ଅନୁଗତଙ୍କୁ ଟିକେଟ୍ ଦେବା ନିମନ୍ତେ ଖୋଲା ଛାଡ଼ିବ ନାହିଁ ବୋଲି ରଣନୀତି ପ୍ରସ୍ତୁତ ହୋଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଏଥର ନିର୍ବାଚନ ୱାରରୁମ୍ ପରିଚାଳନାରେ ଦଳୀୟ ନେତାଙ୍କ ଭୂମିକା ନଗଣ୍ୟ ରହିବ ବୋଲି ଆଭାସ ମିଳିଛି । ଏଥିପାଇଁ ଦଳ ନିଜର ନୂଆ ୱାରରୁମ୍କୁ ଗତ ୪ମାସ ହେଲା ଡିଜିଟାଲାଇଜଡ୍ କରିବାରେ ଲାଗିଛି । ଯେଉଁଠି ଏହି ରଣନୀତିକାରମାନେ ସିଧାସଳଖ ସୁପ୍ରିମୋ ଓ କ୍ଷମତାକେନ୍ଦ୍ର ସହ ହଟଲାଇନ୍ ଯୋଗାଯୋଗ ରଖିପାରିବେ ।
ବିଜେପିର ବଢ଼ୁଥିବା ପ୍ରଭାବ ଓ ସଫଳ ରଣନୀତିକୁ ମାତ୍ ଦେବା ପାଇଁ ଦଳ ନିଜର ପ୍ରାୟ ୪୦ରୁ ୪୫ଜଣ ବିଧାୟକଙ୍କୁ ମଧ୍ୟ ପୁନର୍ବାର ଟିକେଟ୍ ଦେଇନପାରେ ବୋଲି ଜଣାପଡ଼ିଛି ।


