ଭୁବନେଶ୍ୱର(ଓଡବ୍ଲ୍ୟୁ):ମହିଳା ଭୋଟ୍ ବ୍ୟାଙ୍କକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଆଜି ନିଜର ମହିଳା ୱିଙ୍ଗକୁ ପୁର୍ନଗଠନ କରିଛି।ଡଃ ମିନତୀ ବେହେରାଙ୍କୁ ବିଜେଡି ରାଜ୍ୟ ମହିଳା ୱିଙ୍ଗ୍ ସଭାନେତ୍ରୀ ଭାବେ ନିଯୁକ୍ତି ମିଳିଛି।ଦୀର୍ଘ ଦଶନ୍ଧି ଧରି ବିଜେଡି ମହିଳା ୱିଙ୍ଗ ସଭାନେତ୍ରୀ ଥିବା ପ୍ରମିଳା ମଲ୍ଲିକଙ୍କୁ ଦଳର ରାଜ୍ୟ ଉପସଭାପତି ଭାବେ ଅବସ୍ଥାପିତ କରାଯାଇଛି।
ଏ ସମ୍ପର୍କରେ ଦଳର ଉପସଭାପତି ତଥା ବିଧାୟକ ଦେବୀପ୍ରସାଦ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ମହିଳା ୱିଙ୍ଗର ପୁନର୍ଗଠନ ହୋଇଛି।ତୃଣମୂଳ ସ୍ତରରେ ମହିଳା ସଂଗଠନକୁ ସୁଦୃଢ଼ ଓ ଅଧିକ କ୍ରିୟାଶୀଳ କରିବା ପାଇଁ ବିଜେଡି ମହିଳା ୱିଙ୍ଗକୁ ପୁନର୍ଗଠନ କରି ସେ ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି।
ବିଜେଡି ମହିଳା ୱିଙ୍ଗ୍ ପୂର୍ବତନ ସଭାନେତ୍ରୀ ତଥା ବିଧାୟିକା ପ୍ରମିଳା ମଲିକଙ୍କୁ ବିଜେଡି ଉପ-ସଭାପତି ଏବଂ ମହିଳା ୱିଙ୍ଗ୍ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଥିବାବେଳେ ବିଜେଡି ମହିଳା ୱିଙ୍ଗ୍ ନୂତନ ସଭାନେତ୍ରୀ ଭାବେ ଡଃ ମୀନତି ବେହେରାଙ୍କୁ ନିଯୁକ୍ତ କରିଛନ୍ତି।ସେହିପରି ବିଜେଡି ମହିଳା ୱିଙ୍ଗର ଉପଦେଷ୍ଟା ଭାବେ ଜ୍ୟୋତି ପାଣିଗ୍ରାହୀ ଏବଂ କସ୍ତୁରୀ ମହାପାତ୍ରଙ୍କୁ ମନୋନୀତ କରାଯାଇଛି।
ବିଜେଡି ମହିଳା ୱିଙ୍ଗ୍ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଶ୍ରୀମୟୀ ସ୍ୱେତା ସ୍ନିଗ୍ଧା ମିଶ୍ର, ଲୋପାମୁଦ୍ରା ବକ୍ସିପାତ୍ର, ସୁଲୋଚନା ଦାସ, ଗୀତାଞ୍ଜଳି ବସ୍ତିଆଙ୍କୁ ନିଯୁକ୍ତି ମିଳିଥିôବାବେଳେ ସାଧାରଣ ସଂପାଦିକା ଭାବେ ସୁଲତା ଦେଓ ଏବଂ ସଂପାଦିକା ଭାବେ ଏଲିନା ଦାଶଙ୍କୁ ନିଯୁକ୍ତି ଦିଆଯାଇଛି।ତେବେ ବିଜେଡି ମହିଳା ୱିଙ୍ଗର ପୂର୍ବଘୋଷିତ ରାଜ୍ୟ କମିଟି ଓ ଜିଲ୍ଲା କମିଟି ପୂର୍ବଭଳି ଅପରିବର୍ତିତ ରହିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।


