ଭୁବନେଶ୍ୱର : ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସ୍ୱାଧୀନତା ଦିବସ ସମାରୋହରେ ପିଲାଙ୍କ ଅଂଶଗ୍ରହଣ ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି।
ଆଜି ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ଚିଠି ଲେଖି ଅଗଷ୍ଟ ୧୫ତାରିଖରେ ପାଳିତ ହେବାକୁ ଥିବା ରାଜ୍ୟସ୍ତରୀୟ, ଜିଲ୍ଲାସ୍ତରୀୟ ଓ ସବ୍ଡିଭିଜନସ୍ତରରେ ପରେଡରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଉପରେ କଟକଣା ଲଗାଇଛନ୍ତି।
ଏହା ସହିତ ସ୍ୱାଧୀନତା ଦିବସ ସମାରୋହରେ କୌଣସି ପ୍ରକାରର ସାଂସ୍କୃତିକ ଓ କ୍ରୀଡ଼ାକୌଶଳ ପ୍ରଦର୍ଶନ ନକରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ପରେଡରେ କେବଳ ଅର୍ଦ୍ଧସାମରିକ ବାହିନୀ ଓ ପୋଲିସ ଫୋର୍ସକୁ ସାମିଲ ହେବା ପାଇଁ ଅନୁମତି ଦିଆଯାଇଛି।
ସ୍ୱାଧୀନତା ଦିବସ ପାଳନରେ ସାମିଲ ହେଉଥିବା ଅତିଥିଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ଗୃହ ବିଭାଗ ପକ୍ଷରୁ ଆଜି ସମସ୍ତ ରାଜସ୍ୱ କମିଶନର ଓ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି।


