ଭୁବନେଶ୍ୱର,: ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସ୍କୁଲକୁ ଆସନ୍ତାକାଲିଠୁ ଛୁଟି ଘୋଷଣା କରିଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ସନ୍ଧ୍ୟାରେ ଜାରି ବିଜ୍ଞପ୍ତି ଅନୁସାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରୁଥିବା ସମସ୍ତ ସ୍କୁଲ ପୂର୍ବ ନିର୍ଦ୍ଧାରିତ ମେ’ ୪ ତାରିଖ ପରିବର୍ତ୍ତେ ଏପ୍ରିଲ ୨୫ତାରିଖରୁ ଛୁଟି ହେବ ଓ ଜୁନ୍ ୧୮ତାରିଖରେ ସ୍କୁଲ ଖୋଲିବ । କିନ୍ତୁ ମେ’୫ତାରିଖ ପର୍ଯ୍ୟନ୍ତ ଶିକ୍ଷକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟ ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ଜାରି ରହିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ସ୍କୁଲର ଛୁଟି କ୍ୟାଲେଣ୍ଡର ଅନୁସାରେ ଖରାଦିନ ଛୁଟି ମେ’ ୪ତାରିଖରୁ ଆରମ୍ଭ ହୋଇ ଜୁନ୍ ୧୮ତାରିଖରେ ଖୋଲିବାର କାର୍ଯ୍ୟକ୍ରମ ଥିଲା । ଏପ୍ରିଲ ପହିଲାରୁ ରାଜ୍ୟର ଅଧିକାଂଶ ଭାଗରେ ତାପମାତ୍ରା ୪୦ ଡିଗ୍ରୀରୁ ଊଦ୍ଧ୍ୱର୍ ରହୁଛି । ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ସ୍କୁଲ ଛୁଟି ଘୋଷଣାକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା । ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ପାତ୍ର ସ୍କୁଲ ଛୁଟି ଘୋଷଣା ୨-୩ଦିନ ମଧ୍ୟରେ ହେବ ବୋଲି ଗଣମାଧ୍ୟମକୁ କହିବାର ୨ଘଣ୍ଟା ନପୁରୁଣୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆସନ୍ତାକାଲିଠୁ ଛୁଟି ଘୋଷଣା ସମ୍ପର୍କରେ ସୂଚନା ଦିଆଯାଇଥିଲା । ପରେ ବିଭାଗ ପକ୍ଷରୁ ରାତିରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନ୍ୟପକ୍ଷରେ ରାଜଧାନୀର ଏକ ପ୍ରମୁଖ ଘରୋଇ ସ୍କୁଲର ଅଧ୍ୟକ୍ଷ କହିଛନ୍ତି ଯେ, କାରଣ ସରକାରଙ୍କ ନିର୍ଦ୍ଦେଶାନାମା ଆଜି ବିଳମ୍ବିତ ସନ୍ଧ୍ୟାରେ ଜାରି ହୋଇଛି । ବୁଧବାରଠୁ ସ୍କୁଲ ଛୁଟି କରିବାରେ ଅନେକ ସମସ୍ୟା ରହିଛି । ପିଲାଙ୍କୁ ଛୁଟିରେ ହୋମ୍ୱାର୍କ ଓ ଅନ୍ୟାନ୍ୟ ଟାସ୍କ ଦେବାକୁ ପଡ଼େ । ତେଣୁ ସରକାରଙ୍କ ନିର୍ଦ୍ଦେଶାନୁସାରେ ଗୁରୁବାରଠୁ ସ୍କୁଲ ଛୁଟି କରାଯିବ ।


