ନୂଆଦିଲ୍ଲୀ: ଭାରତୀୟ ଦଳର କିମ୍ବଦନ୍ତୀ ଅଫ୍ ସ୍ପିନର ହରଭଜନ ସିଂହ ଦୀର୍ଘ ଦିନ ଧରି ଜାତୀୟ ଦଳରୁ ବାହାରେ ଅଛନ୍ତି। ତାଙ୍କ ସହ କ୍ୟାରିୟର ଆରମ୍ଭ କରିଥିବା ଅଧିକାଂଶ କ୍ରିକେଟର ସନ୍ନ୍ୟାସ ନେଇସାରିଛନ୍ତି, କିନ୍ତୁ ହରଭଜନ ଏପର୍ୟ୍ୟନ୍ତ ଖେଳିବା ଜାରି ରଖିଛନ୍ତି। ତେବେ ହରଭଜନ କେବେ ସନ୍ନ୍ୟାସ ନେବେ, ସେ ନେଇ ତାଙ୍କୁ ଅନେକ ଥର ପ୍ରଶ୍ନ କରାଯାଇଛି। ଏବେ ହରଭଜନ ଏହି ପ୍ରଶ୍ନ ପଚାରିଥିବା ବ୍ୟକ୍ତିଙ୍କୁ ଜବରଦସ୍ତ ଜବାବ ଦେଇଛନ୍ତି। ହରଭଜନ ସିଂହ କହିଛନ୍ତି, ସେ ହେଉଛନ୍ତି ନିଜ ଇଚ୍ଛାର ମାଲିକ, ତେଣୁ ଇଚ୍ଛା ଥିବା ପର୍ୟ୍ୟନ୍ତ ଖେଳ ଜାରି ରଖିବି।
ଏପ୍ରିଲ୍ ୯ ତାରିଖରୁ ଆରମ୍ଭ ହେଉଥିବା ଆଇପିଏଲରେ ୧୪ଶ ସଂସ୍କରଣରେ ହରଭଜନଙ୍କୁ ପୁଣିଥରେ ଖେଳୁଥିବାର ଦେଖିବାକୁ ମିଳିବ। ଚଳିତ ସଂସ୍କରଣ ପାଇଁ ହରଭଜନ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳିବେ ଏବଂ ତାଙ୍କ ପାଖରେ ଯେତିକି କ୍ରିକେଟ୍ ବାକି ଅଛି, ତା’ର ପୂରା ଉପଭୋଗ କରିବାକୁ ଚାହିଁବେ।
କିଛି ଲୋକ ପଚାରୁଛନ୍ତି ଯେ ହରଭଜନ କାହିଁକି ଖେଳୁଛନ୍ତି। ଏହାର ଜବାବରେ ହରଭଜନ କହିଛନ୍ତି, ‘ମୁଁ ଯେପର୍ୟ୍ୟନ୍ତ ଚାହିଁବି ଖେଳିବା ଜାରି ରଖିବି। ମୁଁ ଏବେବି କ୍ରିକେଟ୍ ଖେଳିପାରିବି। ମୋତେ ଏବେ କାହାରିକୁ କିଛି ବି ପ୍ରମାଣିତ କରିବାର ଆବଶ୍ୟକତା ନାହିଁ। ଭଲ ଖେଳ ପ୍ରଦର୍ଶନ କରିବା ମୋର ଉଦ୍ଦେଶ୍ୟ ଏବଂ ମଇଦାନରେ ଖେଳର ଭରପୂର ମଜା ଉଠାଇବାକୁ ଚାହେଁ। କ୍ରିକେଟ୍ ଖେଳିବା ଦ୍ୱାରା ମୋତେ ଏବେବି ବହୁତ ସନ୍ତୁଷ୍ଟ ମିଳୁଛି। ମୁଁ ନିଜ ପାଇଁ କିଛି ମାପଦଣ୍ଡ ସ୍ଥିର କରିଛି ଏବଂ ଯଦି ମୁଁ ଏହାକୁ ପୂରଣ କରିପାରିବି ନାହିଁ, ତାହେଲେ ଏଥିପାଇଁ ନିଜକୁ ଦୋଷ ଦେବି। ସେତେବେଳେ ମଧ୍ୟ ମୁଁ ନିଜକୁ ପ୍ରଶ୍ନ କରିବି ଯେ କ’ଣ ମୁଁ ପର୍ୟ୍ୟାପ୍ତ ପ୍ରୟାସ କରିଥିଲି କି?’
ହରଭଜନ ସିଂହ ୧୯୯୮ରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ ଏବଂ ତାଙ୍କ ନାଁରେ ୭୦୦ରୁ ଅଧିକ ଅନ୍ତର୍ଜାତୀୟ ୱିକେଟ୍ ରହିଛି। ହରଭଜନ କହିଛନ୍ତି ଯେ ସେ ଜାଣିଛନ୍ତି ଯେ ସଫଳ ହେବା ପାଇଁ ତାଙ୍କୁ କ’ଣ କରିବାକୁ ପଡ଼ିବ। ମୁଁ ଆଉ ୨୦ ବର୍ଷର କ୍ରିକେଟର ହୋଇ ରହିନାହିଁ। ମୋତେ ଏବେ ୪୦ ବର୍ଷ ହେଲାଣି। ଯୁବ ଅବସ୍ଥାରେ ଯେମିତି ଅଭ୍ୟାସ କରୁଥିଲି, ଏବେ ସେଭଳି କରିପାରିବି ନାହିଁ। କିନ୍ତୁ ଗୋଟିଏ କଥା ସତ ଯେ ମୁଁ ଏବେବି ଫିଟ୍ ଅଛି ଏବଂ ସଫଳ ହେବା ପାଇଁ ଯାହା କରିବା ଦରକାର, ନିଶ୍ଚୟ କରିବି।


