ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ଆଇନଶୃଙ୍ଖଳା ପରିସ୍ଥିତି ଓ ସ୍କୁଲବନ୍ଦ ପ୍ରସଙ୍ଗକୁ ନେଇ ଗୃହ ଝଡ଼ ସୃଷ୍ଟି ହୋଇଥିଲା । ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଏହି ଦୁଇ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ଦାବି କରିବା ଯୋଗୁ ଗୃହରେ ଅଚଳାବସ୍ଥା ଦେଖାଦେଇଥିଲା ଓ ଗୃହ ୯ଥର ମୁଲତବୀ ରହିଥିଲା । ପରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକରେ ସ୍କୁଲବନ୍ଦ ପ୍ରସଙ୍ଗରେ ଆସନ୍ତାକାଲି ବିସ୍ତୃତ ଆଲୋଚନା ନିମନ୍ତେ ସରକାର ରାଜି ହୋଇଥିବା ଜଣାପଡ଼ିଛି ।
ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଓ ସ୍କୁଲବନ୍ଦ ପ୍ରସଙ୍ଗକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଉଦବେଗ ବ୍ୟକ୍ତ କରିଥିଲେ । ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଥିଲେ ଯେ, ରାଜ୍ୟରେ ଦୁଇଟିଯାକ ହାଜତମୃତ୍ୟୁ ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା । ଆଇଏଏସ୍ ଓ ଆଇପିଏସ୍ ଅଫିସରମାନଙ୍କୁ ଏ ସରକାର ଘଣ୍ଟ ଘୋଡ଼ାଇ ଚାଲିଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ଥିବା ଭଳି ଅନୁଭବ ହେଉନାହିଁ । ବଲାଙ୍ଗିରରେ ଘରେ ପଶି ଦୁବୃର୍ତ୍ତମାନେ ୬ଜଣଙ୍କୁ ମାରିଦେଲେ । ମହିଳାଙ୍କୁ ଯିଏ ଅସମ୍ମାନ କରୁଛି ବିଜେଡି ସରକାର ତାକୁ ଘଣ୍ଟ ଘୋଡ଼ାଉଛି । ଏଭଳି ସ୍ଥିତିରେ ଲୋକେ କିପରି ରାଜ୍ୟରେ ରହିବେ ବୋଲି ସେ ପ୍ରଶ୍ନ କରିଥିଲେ । ତେଣୁ ତୁରନ୍ତ ଏହି ପ୍ରସଙ୍ଗକୁ ମୋସନ୍ ଆକାରରେ ଆଲୋଚନା କରିବା ନିମନ୍ତେ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ସେ ଦାବି କରିଥିଲେ ।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ରାଜ୍ୟରେ ଏବେ ଜଙ୍ଗଲରାଜ ଚାଲିଛି । ସରକାର କିଛି କରୁନାହାନ୍ତି । ଶାନ୍ତିର ରାଜ୍ୟ ଓଡ଼ିଶା ହୋଇଥିବାବେଳେ ଏବେ ଧୀରେଧୀରେ ତା’ର ଅବନତି ହେଉଛି । ସେ ସୁନ୍ଦରଗଡ଼ ହାଜତମୃତ୍ୟୁ ପାଇଁ ସେଠାର ଜିଲ୍ଲା ଏସପିଙ୍କ ପଦକ୍ଷେପକୁ ପ୍ରଶଂସା କରିଥିବାବେଳେ ପୁରୀ ଏସପିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।
ସେହିପରି ବିଜେଡି ବିଧାୟକ ଅମରପ୍ରସାଦ ଶତପୀ କହିଥିଲେ ଯେ ଏହି ଘଟଣା ଏବେ କୋର୍ଟଙ୍କ ବିଚାରାଧୀନ ରହିଛି । ତେଣୁ ଏହା ଉପରେ ଆଲୋଚନା ସମ୍ଭବପର ନୁହେଁ ।ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ବିଜେପି ବିଧାୟକ ବିଷ୍ଣୁ ସେଠୀ ମଧ୍ୟ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଉଦବେଗ ବ୍ୟକ୍ତ କରିଥିଲେ ।
ସଦସ୍ୟମାନଙ୍କ ଉଦବେଗକୁ ଦୃଷ୍ଟିରେ ରଖି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ ଯେ ବିରୋଧୀଦଳ ସଦସ୍ୟମାନେ ମୁଲତବୀ ପ୍ରସ୍ତାବ ଦେଇଛନ୍ତି । ଏହା ଉପରେ ଆଲୋଚନାର ସୁଯୋଗ ରହିଛି । ମାତ୍ର ବିରୋଧୀ ଦଳ ନେତା ଶ୍ରୀ ନାଏକ ଏହି ପ୍ରସଙ୍ଗରେ ଆଲୋଚନା ମୋସନ ଆକାରରେ କରାଗଲେ ସମସ୍ତ ସଦସ୍ୟ ଭାଗ ନେବାର ସୁଯୋଗ ପାଇବେ କହି ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ । ବିରୋଧୀ ବିଧାୟକମାନଙ୍କ ହଟ୍ଟଗୋଳ ଯୋଗୁ ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ଗୃହ ୧୫ମିନିଟ୍ ଲେଖାଏଁ ୨ଥର ମୁଲତବୀ ହେବାପରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ।
ଅପରାହ୍ନ ୩ଟାରେ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭରୁ ଗୃହରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକିଥିଲେ । ଗୃହକୁ ଦ୍ୱିତୀୟ ପର୍ଯ୍ୟାୟରେ ବାରମ୍ବାର ମୁଲତବୀ କରିଥିଲେ । ସର୍ବଦଳୀୟ ବୈଠକ ନିଷ୍ପତ୍ତି ଅନୁସାରେ ଆସନ୍ତାକାଲି ସରକାରୀ ଦଳ ମୁଖ୍ୟ ସଚେତକ ସ୍କୁଲବନ୍ଦ ପ୍ରସଙ୍ଗରେ ପ୍ରସ୍ତାବ ଆଣିବେ ଓ ଏହା ଉପରେ ବିସ୍ତୃତ ଆଲୋଚନା ହେବ ବୋଲି ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ଅବଗତ କରିଛନ୍ତି ।


