ଭୁବନେଶ୍ୱର(ଓଡ଼ିଶା ୱେୟାର):ଆଉ ଦୁଇଦିନ ପରେ ୨୦୨୧-୨୨ ଆର୍ଥିକ ବର୍ଷର କେନ୍ଦ୍ର ବଜେଟ୍ ଆଗତ ହେବାର ଥିବାବେଳେ ଓଡ଼ିଶା ସରକାର ୩୭୦୦କୋଟି ଟଙ୍କାର ନୂଆ ରେଳ ପ୍ରକଳ୍ପ ସମେତ ମୋଟ୍ ୭୨୦୦କୋଟି ଟଙ୍କା ଅର୍ଥବରାଦ ନିମନ୍ତେ ଦାବି କରିଛନ୍ତି । ତେବେ ୨୦୨୦ ଏପ୍ରିଲ ପହିଲା ସୁଦ୍ଧା ରାଜ୍ୟରେ ୩୯ଟି ରେଳବାଇ ପ୍ରକଳ୍ପ ନିମନ୍ତେ କେନ୍ଦ୍ର ସରକାର ୬୧,୯୪୯କୋଟି ଟଙ୍କା ମଞ୍ଜୁର କରିସାରିଛନ୍ତି ଯାହାକି ଏବେ ଯୋଜନା-ଅନୁମୋଦନ ଓ କାର୍ଯ୍ୟକାରୀ ପର୍ଯ୍ୟାୟରେ ରହିଥିବା ଜଣାପଡ଼ିଛି । ଓଡ଼ିଶାରେ ରେଳବାଇ ବିକାଶ ନିମନ୍ତେ କେନ୍ଦ୍ର ସରକାର ପ୍ରତିବର୍ଷ ବ୍ୟାପକ ଅର୍ଥ ଦେଉଥିଲେ ମଧ୍ୟ ଜମି ଅଧିଗ୍ରହଣ ସମେତ ବିଭିନ୍ନ କାରଣରୁ ଗତ ୩ବର୍ଷ ଧରି ମଞ୍ଜୁରୀ ଲାଭ କରିଥିବା ଜୟପୁର-ନବରଙ୍ଗପୁର ନୂଆ ରେଳଲାଇନ୍ କାର୍ଯ୍ୟ ଆରମ୍ଭ ହୋଇପାରିନି ଓ ୧୯୯୪-୯୫ ମସିହାରୁ ମଞ୍ଜୁରୀପ୍ରାପ୍ତ ୨୮୯ କିମି ବିଶିଷ୍ଟ ଖୋର୍ଦ୍ଧା-ବଲାଙ୍ଗୀର ରେଳମାର୍ଗ ଏବେବି ୧୦୦କିମି ପୂରଣ କରିପାରିନି । । ତା’ଛଡ଼ା ଦେବଗଡ଼, ବୌଦ୍ଧ, ସୋନପୁର, କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ଏବେବି ରେଳ ନେଟୱାର୍କରେ ସାମିଲ ହୋଇପାରିନି ।
ସୂଚନା ଅନୁସାରେ, ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ ଚାଲିଥିବା ରେଳ ପ୍ରକଳ୍ପ ନିମନ୍ତେ ୩୫୦୦କୋଟି ଟଙ୍କା ଦେବାକୁ ଓଡ଼ିଶା ସରକାର ପ୍ରସ୍ତାବ ଦେଇଛନ୍ତି । ଏହାବ୍ୟତୀତ ୩୭୦୦କୋଟି ଟଙ୍କାର ନୂଆ ପ୍ରକଳ୍ପ ନିମନ୍ତେ ବ୍ୟୟବରାଦ ପାଇଁ ଦାବି କରିଛନ୍ତି । ଏଥିରେ ନୂଆପଡ଼ା-ଗୁଣୁପୁର ରେଳଲାଇନକୁ ଥେରୁଭାଲି ପର୍ଯ୍ୟନ୍ତ(୭୯କିମି) ସମ୍ପ୍ରସାରଣ ପାଇଁ ୩୦୦କୋଟି, ପୁରୀ-କୋଣାର୍କ ରେଳ ଲାଇନ(୩୮କିମି) ପାଇଁ ୧୦୦କୋଟି ଟଙ୍କା, ବାଂଶପାଣି-ବଡ଼ବିଲ(୧୮କିମି) ପାଇଁ ୫୦କୋଟି, କେନ୍ଦୁଝର ରୋଡ-ଧାମରା ବନ୍ଦର ଭାୟା ଯାଜପୁର/ଆରଡି(୯୫କିମି) ପାଇଁ ୧୦୦କୋଟି ଟଙ୍କା, ତାଳଚେର-ଗୋପାଳପୁର ରେଳ ମାର୍ଗ(୨୪୫କିମି) ପାଇଁ ୩୦୦କୋଟି, ପାରାଦୀପ-ଧାମରା ରେଳମାର୍ଗ(୮୦କିମି)କୁ ୫୦କୋଟି ଟଙ୍କା, ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ରେଳଲାଇନ୍ ନିମନ୍ତେ ୧୦୦କୋଟି, ଖୋର୍ଦ୍ଧା-ବଲାଙ୍ଗିର ଏନବିଜି ରେଳ ଲାଇନ-ହଜାରେ କୋଟି ଟଙ୍କା, ତାଳଚେର-ବିମଳାଗଡ଼(୧୫୪କିମି) ପାଇଁ ୮୦୦କୋଟି ଟଙ୍କା, ଜଳେଶ୍ୱର-ଦୀଘ(୪୧କିମି) ପାଇଁ ୨୦୦କୋଟି ଟଙ୍କା, ଜୟପୁର-ନବରଙ୍ଗପୁର (୩୮କିମି) ପାଇଁ ୩୦୦କୋଟି ଟଙ୍କା, ଜୟପୁର-ମାଲକାନଗିର (୧୩୦କିମି) ପାଇଁ ୪୦୦କୋଟି ଟଙ୍କାର ପାଣ୍ଠି ୨୦୨୧-୨୨ ଆର୍ଥିକ ବଜେଟରେ ବ୍ୟୟବରାଦ ନିମନ୍ତେ ଓଡ଼ିଶା ସରକାର ପ୍ରସ୍ତାବ ଦେଇଛନ୍ତି । ରାଜ୍ୟ ସରକାର ଯୁକ୍ତି ବାଢ଼ିଛନ୍ତି ଯେ, ଭାରତୀୟ ରେଳବାଇ ପ୍ରତିବର୍ଷ ଓଡ଼ିଶାରୁ ୨୦ହଜାର କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରୁଥିବାବେଳେ ଓଡ଼ିଶାରେ ରେଳବାଇ ସାନ୍ଧ୍ରତା (୧୫.୦) ରହିଛି । ଯାହାକି ଜାତୀୟ ହାର(୧୯.୦) ତୁଳନାରେ ଖୁବ କମ୍ । ରାଜ୍ୟରେ ରେଳବାଇ ଭିତ୍ତିଭୂମି ବିକାଶକୁ ଗତିଶୀଳ କରିବା ନିମନ୍ତେ ଓଡ଼ିଶା ସରକାର ଯୌଥ ଉଦ୍ୟୋଗ/ଏସପିଭି ମାଧ୍ୟମରେ ମନ୍ତ୍ରଣାଳୟ ସହ ମିଶି ମାଗଣା ଜମି ଓ ଖର୍ଚ୍ଚରେ ସହଯୋଗ କରି ନୂଆ ରେଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ଚାହୁଁଛି ।
ତେବେ କେନ୍ଦ୍ର ସରକାର ୨୦୧୮-୧୯ରୁ ଜୟପୁର ନବରଙ୍ଗପୁର ନୂଆ ରେଳମାର୍ଗ ପାଇଁ ୫.୪୦କୋଟି, ୨୦୧୯-୨୦ରେ ୧୦କୋଟି ଏବଂ ଜୟପୁର-ମାଲକାନଗିରି ନୂଆ ରେଳଲାଇନ ପାଇଁ ୨୦୧୮-୧୯ରେ ୦.୨୮କୋଟି ଓ ୨୦୧୯-୨୦ରେ ୭୦କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଏହି ଦୁଇଟି ଯାଜ ପ୍ରକଳ୍ପ ନିମନ୍ତେ ଏପର୍ଯ୍ୟନ୍ତ ଜମି ଅଧିଗ୍ରହଣ ଆରମ୍ଭ କରିନଥିବା ରାଜ୍ୟ ସରକାର ଏବେ ବଜେଟକୁ ଦୃଷ୍ଟିରେ ରଖି ତତ୍ପରତା ଦେଖାଇଛନ୍ତି ।
ସେହିପରି ବହୁଚର୍ଚ୍ଚିତ ୨୮୯କିମିର ଖୋର୍ଦ୍ଧ-ବଲାଙ୍ଗିର ରେଳମାର୍ଗକୁ କେନ୍ଦ୍ର ସରକାର ୩୭୯୮.୮୦କୋଟି ଟଙ୍କା ପ୍ରକଳ୍ପ ଅର୍ଥକୁ ୧୯୯୪-୯୫ ମସିହାରୁ ଅନୁମୋଦନ ଦେଇଛନ୍ତି । ୨୫ବର୍ଷ ପରେ ମଧ୍ୟ ଏହି ମାର୍ଗରେ ମାତ୍ର ୧୦୫୭କୋଟି ଟଙ୍କା ଖର୍ଚ୍ଚରେ ଦୁଇଟି ପର୍ଯ୍ୟାୟରେ ମାତ୍ର ୮୦କିମି ମାର୍ଗ କାର୍ଯ୍ୟ ସମ୍ଭବପର ହୋଇପାରିଛି । ଯଦିଓ ଏହି ମାର୍ଗ ପାଇଁ କେନ୍ଦ୍ର ସରକାର ପ୍ରତିବର୍ଷ ଅର୍ଥ ମଞ୍ଜୁର କରିଚାଲିଛନ୍ତି ଓ ଜମି ଅଧିଗ୍ରହଣ,ପରିବେଶ ମଞ୍ଜୁରୀ ଆଦି ପାଇଁ ପ୍ରକଳ୍ପ କାର୍ଯ୍ୟ ଅଧପନ୍ତରିଆ ହୋଇ ରହିଛି ।
ରେଳବାଇ ମନ୍ତ୍ରଣାଳର ସୂଚନା ଅନୁସାରେ, ୨୦୨୦ ଏପ୍ରିଲ ପହିଲା ସୁଦ୍ଧା ରାଜ୍ୟରେ ୬୧,୯୪୯କୋଟି ଟଙ୍କାର ୪୮୭୭କିମି ଲମ୍ବ ବିଶିଷ୍ଟ ୩୯ଟି ରେଳବାଇ ପ୍ରକଳ୍ପ କାର୍ଯ୍ୟ ଏବେ ପୂର୍ଣ୍ଣ ଅବା ଆଂଶିକ ଭାବେ ଯୋଜନା କିମ୍ବା ଅନୁମୋଦନ ଅବା କାର୍ଯ୍ୟକାରୀ ସ୍ଥିତିରେ ରହିଛି । ସେଥିରୁ ୨୦୨୦ ମାର୍ଚ୍ଚ ସୁଦ୍ଧା ୯୪୭କିମି ମାର୍ଗ ପାଇଁ ୧୬୨୬୪କୋଟି ଟଙ୍କା ବ୍ୟୟ ହୋଇଛି । ୧୫୪୨କିମିର ୧୨ଟି ନୂଆ ରେଳମାର୍ଗ ପାଇଁ ୨୭୦୭୨କୋଟି ଟଙ୍କା ଅନୁମୋଦନ ହୋଇଥିବାବେଳେ ୨୦୨୦ ମାର୍ଚ୍ଚ ସୁଦ୍ଧା ୫୦୮୯କୋଟିରେ ମାତ୍ର ୧୫୫କିମିର ରେଳମାର୍ଗ କାର୍ଯ୍ୟକ୍ଷମ ହୋଇଛି । ସେହିପରି ୩୧୭୬କିମିର ୨୬ଟି ରେଳମାର୍ଗର ଦୋହରୀକରଣ ନିମନ୍ତେ ୩୩୪୨୨କୋଟି ଟଙ୍କା ମଞ୍ଜୁରୀ ହୋଇଛି ଓ ମାର୍ଚ୍ଚ ସୁଦ୍ଧା ସେଥିରୁ ୧୦୯୯୧କୋଟି ଟଙ୍କାରେ ମାତ୍ର ୭୦୨କିମି କାର୍ଯ୍ୟକ୍ଷମ ହୋଇପାରିଛି ।


