ଆଇପିଏସ ଅଧିକାରୀ ଡିଏସ କୁଟ୍ଟେଙ୍କ ଉପରୁ ନିଲମ୍ବନ ହଟାଇଲେ ନିର୍ବାଚନ କମିଶନ। ନିଲମ୍ବନ ହଟିବା ପରେ ଆଗାମୀ ପୋଷ୍ଟିଂ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ତେବେ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଚାଲିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ ।ସିଏମଓରେ ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିବା ଡି.ଏସ କୁଟ୍ଟେଙ୍କୁ ଚଳିତ ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ କରୁଥିବା ଅଭିଯୋଗରେ ନିଲମ୍ବିତ କରାଯାଇଥିଲା ।
ସେହିପରି ଆଇପିଏସ ଅଧିକାରୀ ଆଶୀଷ ସିଂ ଶାରୀରିକ ଓ ମାନସିକ ସୁସ୍ଥ ଥିବା ଏମ୍ସ ଭୁବନେଶ୍ୱର କହିଛି। ତେବେ ଭୁଲ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟି ନେଇଥିବା ଆଶୀଷ ସିଂ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଆଶିଷ ଫିଟ୍ ଥିବା ଇସିଆଇଙ୍କୁ ଜଣାଇଥିଲେ ଏମ୍ସର କର୍ତ୍ତୃପକ୍ଷ। ଏହାପରେ ଆଶିଷ ସିଂଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ଏମ୍ସ ରିପୋର୍ଟ ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଆଶିଷ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିଲେ। ପୂର୍ବରୁ ନିର୍ବାଚନ ସମୟରେ ଅସୁସ୍ଥତା କାରଣ ଦର୍ଶାଇ ଆଶିଷ ସିଂ ଛୁଟିରେ ଯାଇଥିଲେ । ଛୁଟିରେ ଯାଇ ସେ ନିର୍ବାଚନରେ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗ ହୋଇଥିଲା। ଏଭଳି ଅଭିଯୋଗ ପରେ ଭାରତୀୟ ନିର୍ବାଚନ କମିସନ ଏମସ ମେଡିକାଲ ବୋର୍ଡ ଗଠନ କରି ଆଇପିଏସ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।


