ଭୁବନେଶ୍ୱର(ଓଡ଼ିଶା ୱେୟାର): ଓଡିଶାର ବିକାଶ ଓ ପ୍ରଗତି ପାଇଁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।ଆଜି ୧୪,୫୨୩ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଆଧାରଶିଳା ରଖବା ସହ ଆଉ କେତେକ ପ୍ରକଳ୍ପର ଉଦ୍ଘାଟନ କରାଛନ୍ତି।
ଆଜି ଭୁବନେଶ୍ୱର ନିକଟସ୍ଥ ଅରଗୁଳଠାରେ ଆଇଆଇଟି ଭୁବନେଶ୍ୱରର ପୂର୍ଣ୍ଣାଙ୍ଗ କ୍ୟାମ୍ପସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ସୂଚନା ଦେଇଛନ୍ତି କହିଛନ୍ତି ଯେ, ବର୍ତମାନ ସୁଦ୍ଧା ପ୍ରାୟ ୧୨୬୦ କୋଟି ଟଙ୍କା ଏହି ଶିକ୍ଷା ପ୍ରକଳ୍ପରେ ଖର୍ଚ୍ଚ କରାଯାଇଛି ।କେନ୍ଦ୍ର ସରକାର ଓଡିଶା ସମେତ ପୂର୍ବ ଭାରତର ବିକାଶକୁ ଅଗ୍ରପ୍ରାଧାନ୍ୟ ଦେଇଛନ୍ତି ।ଏହି ଅଂଚଳର ଜରୁରୀ ସୁବିଧା ଓ ସଂରଚନା କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଉଛି । ପୂର୍ବ ଭାରତକୁ ଦକ୍ଷିଣ ଏସିଆର ପ୍ରବେଶ ଦ୍ୱାର ରୂପେ ଗଢ଼ି ତୋଳିବା ଲାଗି ଉଦ୍ୟମ ହେଉଛି ।ଏହି ଅନୁଷ୍ଠାନ ନୂଆ ନୂଆ ଉଦ୍ୟମୀ ଓ ଷ୍ଟାର୍ଟ ଅପ ସୃଷ୍ଟି
କରିବାରେ ମଧ୍ୟ ସହାୟକ ହେବ । ଆଜି ପ୍ରଧାନମନ୍ତ୍ରୀ ସଭାସ୍ଥଳରୁ ୧୬୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଆଇଜର, ବ୍ରହ୍ମପୁର କ୍ୟାମ୍ପସର ଆଧାରଶିଳା ରଖିଥିଲେ ।ଆଜି ଇଏସଆଇ ହସ୍ପିଟାଲର ମଧ୍ୟ ଉଦ୍ଘାଟନ କରାଯାଇଛି ।ଭୁବନେଶ୍ୱରସ୍ଥିତ ଏହି ହସ୍ପିଟାଲକୁ ୧୦୦ ଶଯ୍ୟା ବିଶିଷ୍ଟ କରାଯାଇଛି । ଏହାଛଡା ଆଧୁନିକ ଭିତିଭୂମି ମଧ୍ୟ ହସ୍ପିଟାଲରେ ସ୍ଥାପନ କରାଯାଇଛି ।ଏବେ ସାରା ଦେଶରେ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା – ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ ହେଉଛି ।ଏହା ଅଧିନରେ ଓଡିଶାରେ ୧୧୫୦ଟି ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଖୋଲାଯିବ ।ରାଜ୍ୟର ଦୁର୍ଗମ ଅଂଚଳକୁ ବ୍ୟାପକ ସଡକ ନେଟୱାର୍କ ଯୋଗେ ଯୋଡାଯିବ ।ଆଜି ପ୍ରାୟ ୪୫୦୦ କୋଟି ଟଙ୍କାର ସଡକ ପ୍ରକଳ୍ପର ଆଧାରଶିଳା ରଖାଯାଇଛି । କେନ୍ଦ୍ର ସରକାର ଓଡିଶାରେ ସଡକ ନେଟୱାର୍କ ୧୦ ହଜାର କିଲୋମିଟରକୁ ସମ୍ପ୍ରସାରିତ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି ।ଏହା ରାଜ୍ୟରେ ଉଦ୍ୟୋଗ ବିକାଶ ତଥା ପରିବହନ ସୁବିଧାକୁ
ସୁଗମ କରିବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଓଡିଶାରେ ତୈଳ ଓ ପ୍ରାକୃତିକ ବାଷ୍ପ ଉଦ୍ୟୋଗର ଉଜ୍ୱଳ ଭବିଷ୍ୟତ ରହିଛି । ଆଜି ଶିଳାନ୍ୟାସ କରାଯାଇଥିବା ପାରାଦୀପ-ହାଇଦ୍ରାବାଦ ପାଇପ ଲାଇନ ବ୍ରହ୍ମପୁର, ବିଶାଖାପାଟଣା, ବିଜୟୱାଡା, ରାଜମହେନ୍ଦ୍ରୀ ଦେଇ ହାଇଦ୍ରାବାଦରେ ପହଂଚିବ । ଫଳରେ ପାଇପ ଲାଇନ ସଂଲଗ୍ନ ଅଂଚଳର ଲୋକେ ତଥା ଉଦ୍ୟୋଗ ଜଗତ ପେଟ୍ରୋଲ, ଡିଜେଲ, କିରୋସିନ ଓ ଉଡାଜାହାଜ ଇନ୍ଧନ ସୁବିଧାରେ ପାଇପାରିବେ । ଓଡିଶା କ୍ରମେ ପେଟ୍ରୋଲିୟମ ଶିଳ୍ପର ପ୍ରମୁଖ ହବ୍ ହେବାକୁ ଯାଉଛି।ପାରାଦୀପ ଏଥିରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ସେ କହିଥିଲେ ଯେ, ସବୁ ଘରକୁ ଏଲପିଜି ଯୋଗାଣ ଲକ୍ଷ୍ୟର ନିକଟବର୍ତୀ ହେଉଛନ୍ତି କେନ୍ଦ୍ର ସରକାର ।ପାଇପ ଯୋଗେ ରନ୍ଧନ ଗ୍ୟାସ ଯୋଗାଣ ଲାଗି ନିରବଚ୍ଛିନ୍ନ ପ୍ରୟାସ ଜାରୀ ରହିଛି । ପ୍ରଧାନମନ୍ତ୍ରୀ ଉର୍ଜାଗଙ୍ଗା ଯୋଜନାରେ ଉତର ପ୍ରଦେଶରୁ ଓଡିଶା
ପର୍ଯ୍ୟନ୍ତ ପାଇପ ଲାଇନ ଟଣା ଯାଉଛି । ଜଗଦୀଶପୁର-ହଳଦିଆ-ବୋକାରୋ-ଧାମରା ସେକ୍ସନ ଅନ୍ତର୍ଗତ ବୋକାରୋ-ଅନୁଗୁଳ ସେକ୍ସନ ଗ୍ୟାସ ପାଇପ ଲାଇନ ପ୍ରକଳ୍ପର ମଧ୍ୟ ଆଜି ଶିଳାନ୍ୟାସ କରାଯାଇଛି । ଏହାଦ୍ୱାରା ଓଡିଶାର ୫ଟି ଏବଂ ଝାଡଖଣ୍ଡର ୬ଟି ଜିଲ୍ଲା ଉପକୃତ ହେବେ ।
ଆଜିର ସମାରୋହରେ ପ୍ରଥମ ସ୍ୱାଧିନତା ସଂଗ୍ରାମ ରୂପେ ଅଭିହିତ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ଉପଲକ୍ଷେ ଡାକ ଟିକଟ ଓ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରାକୁ ଉନ୍ମୋଚନ କରି ପ୍ରଧାନମନ୍ତ୍ରୀ ପାଇକ ବୀରମାନଙ୍କୁ ସମ୍ମାନ ଜଣାଇଥିଲେ । ପାଇକ ବିଦ୍ରୋହର ନାୟକ ରୂପେ ପରିଚିତ ବକ୍ସି ଜଗବନ୍ଧୁଙ୍କ ଅବଦାନକୁ ମଧ୍ୟ ସେ ସ୍ମରଣ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ଚେୟାର ପ୍ରତିଷ୍ଠା କରାଯିବ । ଏଥିଲାଗି କେନ୍ଦ୍ର ସରକାର ୫ କୋଟି ଟଙ୍କା ଯୋଗଇ ଦେଇଛନ୍ତି । ଏହି ଚେୟାର
ମାଧ୍ୟମରେ ରାଷ୍ଟ୍ରବାଦୀ ଆନ୍ଦୋଳନ ଏବଂ ଓଡିଶାର ଆଦିବାସୀମାନଙ୍କ ସାମାଜିକ-ଆର୍ଥିକ ପରିବର୍ତନ ଉପରେ ଗବେଷଣା କରାଯିବ ।ସେହିପରି ଲଳିତଗିରି ପତ୍ନତତ୍ୱ ସଂଗ୍ରହାଳୟକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଥିଲେ ।୯.୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରତ୍ନତତ୍ୱ ମ୍ୟୁଜିୟମ ଦେଶ ବିଦେଶରୁ ଗବେଷକ ଓ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ ।
ତା’ଛଡା ରୋଜଗାର ସୁଯୋଗ ସୃଷ୍ଟି କରିବ।ଆଇଆଇଟି ସମାରୋହରେ ପ୍ରଧାନମନ୍ତ୍ରୀ ରିମୋଟ ଜରିଆରେ ଏନଏଚ-୧୬ ଜାତୀୟ ରାଜପଥର ଚଣ୍ଡିଖୋଲ-ଭଦ୍ରକ ସେକ୍ସନକୁ ୬ ଲେନ କରିବା, ଖଣ୍ଡଗିରି ଫ୍ଲାଏଓଭର, ଏନଏଚ-୫ ଅନ୍ତର୍ଗତ କଟକ-ଅନୁଗୁଳ ସେକ୍ସନର ୪ ଲେନ କାର୍ଯ୍ୟ ଏବଂ ଟାଙ୍ଗି-ପୁଇଁତଳା ସେକ୍ସନର ନିର୍ମାଣ କାର୍ଯ୍ୟର ଆଧାରଶିଳା ରଖିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ, ଏହିସବୁ
ଭିତିଭୂମି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ନିଉ ଇଣ୍ଡିଆର ଅଭ୍ୟୁଦୟ ହେବ ।ଓଡିଶା ନିଉ ଇଣ୍ଡିଆ ବିକାଶର ଇଞ୍ଜିନ ସାଜିବ ବୋଲି କହିଥିଲେ ।
ସମାରୋହରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ଦେଇକହିଥିଲେ ଯେ, ଆଜି ହେଉଛି ଏକ ଐତିହାସିକ ଦିନ ।ପାଇକ ଆନ୍ଦୋଳନର ସ୍ମୃତି ବହନ କରୁଥିବା ଏକ ସ୍ମାରକୀ ଡାକ ଟିକଟ ଓ ସ୍ୱତନ୍ତ୍ର ମୁଦ୍ରା ପ୍ରଧାନମନ୍ତ୍ରୀଙ୍କ କରକମଳରେ ଉନ୍ମୋଚିତ ହୋଇଛି ।ଓଡିଶାର ବିକାଶରେ ପ୍ରଧାନମନ୍ତ୍ରୀଙ୍କ ଭବିଷ୍ୟଦୃଷ୍ଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ।
କେନ୍ଦ୍ରର ଏହି ସମସ୍ତ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ଓ ଖୁବଶୀଘ୍ର ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ବିନା ମୂଲ୍ୟରେ ଜମି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ।
ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ
ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ ଥିଲେ।



