ଭୁବନେଶ୍ୱର: ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାର ତଦନ୍ତ କେନ୍ଦ୍ରୀୟ ଏଜେନ୍ସୀ ଦ୍ୱାରା କରିବା ନିମନ୍ତେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର) ସୁପାରିସ୍ କରିଛନ୍ତି ।
ସୂଚନା ଅନୁସାରେ ପରୀ ହତ୍ୟା ମାମଲା ସଂକ୍ରାନ୍ତରେ ନଭେମ୍ବର ୨୪ତାରିଖରେ ଓଟିଭିର ଡିଜିଟାଲ ପ୍ଲାଟଫର୍ମରେ ପ୍ରକାଶିତ ଖବରକୁ ନିଜଆଡ଼ୁ ଗ୍ରହଣ କରିବା ସହ ବିଜେପି ମୁଖପାତ୍ର ଡଃ ସମ୍ବିତ ପାତ୍ରଙ୍କ ଦ୍ୱାରା ନଭେମ୍ବର ୩୦ତାରିଖରେ ଦାଖଲ ଅଭିଯୋଗକୁ ଆଧାର କରି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏହାର ବିଚାର କରିଥିଲେ । ଡିସେମ୍ବର ୪ତାରିଖରେ ନୟାଗଡ଼ ପୁଲିସ ଏସପି ଓ ଜିଲ୍ଲାପାଳଙ୍କ ଦ୍ୱାରା ତଥ୍ୟପ୍ରମାଣ ଦାଖଲ କରାଯିବାପରେ ଡିସେମ୍ବର ୯ତାରିଖରେ ଶୁଣାଣି ପାଇଁ ସମନ କରାଯାଇଥିଲା । ପୁଲିସ ଦ୍ୱାରା ତଦନ୍ତରେ ଗୁରୁତର ତ୍ରୁଟି ରହିଥିବା ଓ ନାବାଳିକାର ହତ୍ୟାକୁ ନେଇ ତଦନ୍ତରେ ଅହେତୁକ ବିଳମ୍ବ ହୋଇଥିବା ଆୟୋଗ ଅନୁଭବ କରିଛନ୍ତି । ପରୀ ଘଟଣାରେ ଦାଖଲ ନଭେମ୍ବର ୨୫ତାରିଖରେ ଆୟୋଗଙ୍କ ଦ୍ୱାରା ଓଡ଼ିଶା ମୁଖ୍ୟ ସଚିବ ଓ କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖି ତଦନ୍ତକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଥିଲା ।
ଆୟୋଗ ଏହି ମାମଲାର ଶୁଣାଣି ପରେ ଅନୁଭବ କରିଛନ୍ତି ଯେ ପରୀ ହତ୍ୟାର ତଦନ୍ତରେ ପୁଲିସର ଅବହେଳା ରହିଥିବାରୁ ତଦନ୍ତକାରୀ ଅଫିସରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ କେନ୍ଦ୍ରୀୟ ଏଜେନ୍ସୀ ଦ୍ୱାରା ତଦନ୍ତ କରିବାକୁ ଆୟୋଗ ସୁପାରିସ୍ କରିଛନ୍ତି । ଆୟୋଗ କରିଥିବା ବିସ୍ତୃତ ତଦନ୍ତ ରିପୋର୍ଟ ଓ ସୁପାରିସକୁ ରାଜ୍ୟ ମୁଖ୍ୟ ସଚିବ ଓ କେନ୍ଦ୍ର ଗୃହ ସଚିବଙ୍କୁ ପଠାଇ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟ ସରକାର ଏବେ ପରୀ ହତ୍ୟା ମାମଲାରେ ଏସଆଇଟି ତଦନ୍ତ କରୁଥିବାବେଳେ ତଦନ୍ତରେ ଅବହେଳା ପାଇଁ ନୟାଗଡ଼ ଥାନା ଆଇଆଇସିଙ୍କୁ ବଦଳି କରିସାରିଛନ୍ତି ।


