ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶ ସରକାରଙ୍କ ପୋଲାଭରମ୍ ପ୍ରକଳ୍ପର ଅଂଶବିଶେଷ ପୁରୁଷୋତମପାଟନମ୍ ଉଠା ଜଳସେଚନ ପ୍ରକଳ୍ପ ମାମଲାରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ସୋମବାର ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଜୁଲାଇ ତୃତୀୟ ସପ୍ତାହ ସୁଦ୍ଧା ନୋଟିସର ଜବାବ ରଖିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।
ନୁଆଦିଲ୍ଲୀସ୍ଥିତ ଏନଜିଟିର ୩ଜଣିଆ ସଦସ୍ୟ ଜଷ୍ଟିସ ଡଃ ଜାୱେଦ୍ ରହିମ୍, ଜଷ୍ଟିସ୍ ୱାଙ୍ଗଡି ଓ ଡଃ ନାଗିନ୍ ନନ୍ଦଙ୍କ ଖଣ୍ଡପୀଠ ଆବେଦନକାରୀ ମାଦିଚାର୍ଲା ସତ୍ୟନାରାୟଣନ୍ ଓ ଏମ୍ ରାମକ୍ରିଷ୍ଣନ୍ଙ୍କ ଅଭିଯୋଗକୁ ବିଚାର ପାଇଁ ଗ୍ରହଣ କରି ଏହି ନୋଟିସ୍ ଜାରି କରିଛନ୍ତି ।
ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ନିର୍ମାଣ ହେଉଥିବା ଜଳସେଚନ ପ୍ରକଳ୍ପ ବେଆଇନ ବୋଲି ଆବେଦନକାରୀ ନିଜ ଆବେଦନରେ ଦର୍ଶାଇଛନ୍ତି । ଆବେଦନକାରୀଙ୍କ ଓକିଲ କେ.ଶ୍ରବଣ କୁମାର ଯୁକ୍ତି ବାଢ଼ିଥିଲେ ଯେ ଏହି ପ୍ରକଳ୍ପ ପାଇଁ ଆନ୍ଧ୍ର ପ୍ରଦେଶ ସରକାରଙ୍କ ପାଖରେ ପରିବେଶ ଅନୁମତି ମଧ୍ୟ ପାଇନାହାନ୍ତି । ପ୍ରକଳ୍ପ ପାଇଁ ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ମଧ୍ୟ ଘୋଷଣା କରିନାହାନ୍ତି । ଏହା ନଦୀ ଜଳ ସହ ଜଡ଼ିତ ଥିବା ପ୍ରକଳ୍ପ ହୋଇଥିବାରୁ ଉପରମୁଣ୍ଡରେ ଥିବା ରାଜ୍ୟ ସହ ଆନ୍ତଃରାଜ୍ୟ ବୁଝାମଣା ମଧ୍ୟ କରିନାହାନ୍ତି । ପୁରୁଷୋତମ ପ୍ରକଳ୍ପ ହେଉଛି ପୋଲାଭରମ ପ୍ରକଳ୍ପର ଅଂଶବିଶେଷ ବୋଲି ଆନ୍ଧ୍ର ସରକାର କରୁଥିବା ଦାବିର ସତ୍ୟାସତ୍ୟ ଯାଂଚ ପାଇଁ ପ୍ରକଳ୍ପ କାର୍ଯ୍ୟର ନିରପେକ୍ଷ ଯାଂଚ ପାଇଁ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ଦାବି କରିଛନ୍ତି । ଖଣ୍ଡପୀଠ ଏହି ମାମଲାରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ, ପୋଲାଭରମ ପ୍ରକଳ୍ପ କର୍ତୃପକ୍ଷ, ଜଳସମ୍ପଦ ମନ୍ତ୍ରଣାଳୟ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଓ ପ୍ରକଳ୍ପ ହେଉଥିବା ପୂର୍ବ ଗୋଦାବରୀ ଜିଲ୍ଲାପାଳଙ୍କୁ ମଧ୍ୟ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।


