ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବରେଲୀ ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫ୍ଲାଏଓଭରରୁ ଏକ ଯାତ୍ରୀବାହୀ ବସ୍ ତଳୁ ଖସିପଡିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଆଶଙ୍କା କରାଯାଉଛି।
ସୂଚନାମୁତାବକ, ଆଜି ଭୋର୍ ସମୟରେ ବସ୍ଟି ଦିଲ୍ଲୀରୁ ଫେରୁଥିବାବେଳେ ଫତେହଗଞ୍ଜ ଥାନା ନିକଟରେ ଥିବା ଫ୍ଲାଏଓଭରରୁ ଭାରସାମ୍ୟ ହରାଇ ଖସିପଡିଥିଲା। ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ମେରଠ ନିବାସୀ ପ୍ରେମ୍ କିଶନ ବୋଲି ଜଣାପଡିଛି। ତେବେ ଘଟଣା ଘଟିବା ପରେ ଜିଲ୍ଲାପାଳ ହସ୍ପିଟାଲରେ ପହଞ୍ଚି ସମସ୍ତ ଆହତଙ୍କ ସ୍ଵାସ୍ଥ୍ୟବସ୍ଥା ସମ୍ପର୍କରେ ବୁଝିବା ସହ ଯଥାସମ୍ଭବ ଚିକିତ୍ସା ଯୋଗାଇଦେବାକୁ ନିର୍ଦେଶ ଦେଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଆଶଙ୍କା କରାଯାଉଛି।


