ଭୁବନେଶ୍ୱର(ଓଡ଼ିଶା ୱେୟାର): ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ପରିଚାଳନା ନିମନ୍ତେ ରାଜ୍ୟ ସରକାର ଖୁବଶୀଘ୍ର ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଲିଙ୍ଗରାଜ ମନ୍ଦିର ଓ ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା ପରେ ପୁରୀ ଶ୍ରୀମନ୍ଦିର ଢାଂଚାରେ ଲିଙ୍ଗରାଜ ମନ୍ଦିର ପାଇଁ ଆଇନ ଆସିବ ବୋଲି କହିଛନ୍ତି ।
ସୂଚନା ଅନୁସାରେ, ଏହି ଆଇନରେ ଲିଙ୍ଗରାଜ ମନ୍ଦିର ଓ ଏହାର ନୀତିକାନ୍ତି ସହ ଜଡ଼ିତ ସମସ୍ତ ମନ୍ଦିରର ପରିଚାଳନା ଦାୟିତ୍ୱ ୧୫ଜଣିଆ ପରିଚାଳନା କମିଟି ପାଖରେ ରହିବ । ଏହି ନୂଆ ଆଇନ କାର୍ଯ୍ୟକ୍ଷମ ହେଲେ ଲିଙ୍ଗରାଜ ମନ୍ଦିର ନିମନ୍ତେ ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ-୧୯୫୧ ଅକାମୀ ହୋଇଯିବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଏହି ପ୍ରସ୍ତାବିତ ଆଇନ ଅନ୍ତର୍ଗତ ରାଜ୍ୟ ସରକାର, ପରିଚାଳନା କମିଟି ଓ ମନ୍ଦିର ପ୍ରଶାସକଙ୍କ ଯେକୌଣସି କାର୍ଯ୍ୟକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇ ପାରିବ ନାହିଁ । ପରିଚାଳନା କମିଟି ମାଧ୍ୟମରେ ରାଜ୍ୟ ସରକାର ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିବାକୁ ଚାହୁଁଥିବା ଜଣାପଡ଼ିଛି । ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ଓ ଏହାର ନୀତିକାନ୍ତି ସହ ଜଡ଼ିତ ସମସ୍ତ ମନ୍ଦିରର ପରିଚାଳନା ନିମନ୍ତେ ଶ୍ରୀଲିଙ୍ଗରାଜ ମନ୍ଦିର ଆଇନ-୨୦୨୦ର ଚିଠା ବିଲ୍ ଉପରେ ରାଜ୍ୟ ଆଇନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିସ୍ତୃତ ଆଲୋଚନା ମଧ୍ୟ ସରିଛି । ଭଗବାନ ଶିବ ଓ ବିଷ୍ଣୁଙ୍କ ମିଳିତ ରୂପ ହରିହରଙ୍କ ପ୍ରାଚୀନ ମନ୍ଦିର ମଧ୍ୟରେ ଲିଙ୍ଗରାଜ ମନ୍ଦିରର ଅନ୍ୟତମ । ଲିଙ୍ଗରାଜ ମନ୍ଦିରର ଧାର୍ମିକ ମହତ୍ତ୍ୱ, କଳାଐତିହ୍ୟ ଓ ଦେଶର ବିଭିନ୍ନ ଭାଗରୁ ଶ୍ରଦ୍ଧାଳୁମାନେ ଆସୁଥିବାରୁ ଏହି ପ୍ରାଚୀନ ମନ୍ଦିରର ସେବାପୂଜା, ନୀତିକାନ୍ତି, ସମ୍ପତ୍ତିର ରକ୍ଷଣାବେକ୍ଷଣ, ଭିତ୍ତିଭୂମି ବିକାଶ ଓ ନିରାପତ୍ତା ନିମନ୍ତେ ରାଜ୍ୟ ସରକାର ସ୍ୱତନ୍ତ୍ର ପରିଚାଳନା କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଲିଙ୍ଗରାଜ ମନ୍ଦିରର ପରିଚାଳନା ନିମନ୍ତେ ଏହି ଆଇନରେ ୧୫ଜଣିଆ ପରିଚାଳନା କମିଟି ଗଠନ କରାଯିବ, ଯେକି ମନ୍ଦିରର ସମସ୍ତ ସମ୍ପତ୍ତିର ରକ୍ଷଣାବେକ୍ଷଣ, ଉପାର୍ଜନ, ନୀତିକାନ୍ତି, ସେବାୟତଙ୍କ କଲ୍ୟାଣ ସହ ସବୁ ନିଷ୍ପତ୍ତି ନେବାକୁ କ୍ଷମତାପ୍ରାପ୍ତ ରହିବ । ତେବେ ମନ୍ଦିରର କୌଣସି ସମ୍ପତ୍ତିକୁ ବିକ୍ରି କରିବା ଓ ୫ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଲିଜ୍ ଦେବାକୁ ହେଲେ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ ।
ଏହି ମନ୍ଦିର ପରିଚାଳନା କମିଟିରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ମିଶାଇ ସର୍ବାଧିକ ୧୫ଜଣ ସଦସ୍ୟ ରହିବେ । ମନ୍ଦିରର ବିଭିନ୍ନ ବର୍ଗର ସେବକଙ୍କ ମଧ୍ୟରୁ ୩ଜଣ ଓ ଧାର୍ମିକ ତଥା ସାମାଜିକ କ୍ଷେତ୍ରରେ ପରିଚିତ ୨ଜଣ ବ୍ୟକ୍ତିଙ୍କୁ କମିଟିର ସଦସ୍ୟ ଭାବେ ରାଜ୍ୟ ସରକାର ଚୟନ କରିବେ । ଅନ୍ୟ ୮ଜଣ ସରକାରୀ ଏକ୍ସ-ଅଫିସିଓ ସଦସ୍ୟ ଭାବେ କାର୍ଯ୍ୟ କରିବେ । ହିନ୍ଦୁ ଧର୍ମାବଲମ୍ବୀ ଜଣେ କମିଶନର ଅବା ସଚିବ ପାହ୍ୟାର ଆଇଏଏସ୍ ଅଫିସରଙ୍କୁ ମନ୍ଦିରର ପ୍ରଶାସକ ବା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଫିସର ଭାବେ ନିଯୁକ୍ତି ମିଳିବ । ସେହିପରି କମିଟିରେ ଏକ୍ସ-ଅଫିସିଓ ସଦସ୍ୟ ଭାବେ ଦେବୋତ୍ତର କମିଶନର, ଆଇନ ବିଭାଗର ଅତିରିକ୍ତ ସଚିବ, ବିଏମସି କମିଶନର, ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ, ଭୁବନେଶ୍ୱର ପୁଲିସ୍ ଡିସିପି, ଏଏସଆଇର ଅଧୀକ୍ଷକ ପ୍ରତ୍ନତତ୍ତ୍ୱବିତ ମଧ୍ୟ ସଦସ୍ୟ ରହିବେ । ଏକ୍ସ-ଅଫିସିଓ ସଦସ୍ୟଙ୍କୁ ଛାଡ଼ିଲେ କମିଟିର ବାକି ସଦସ୍ୟଙ୍କ କାର୍ଯ୍ୟକାଳ ସର୍ବାଧିକ ୩ବର୍ଷ ରହିବ ।
ଏହି କମିଟି ଚାହିଁଲେ ସବକମିଟି ଗଠନ କରି ଜମି ଓ ପ୍ରକଳ୍ପ, ଅର୍ଥ ଓ ପ୍ରତିଷ୍ଠାନ, ସେବକଙ୍କ କଲ୍ୟାଣ, ନୀତି, ଏହାସହ ଜଡ଼ିତ ମନ୍ଦିର ଓ ଅନ୍ୟାନ୍ୟ କାର୍ଯ୍ୟର ସୁପରିଚାଳନା କରିପାରିବେ । କେବଳ ଉତ୍ତରାଧିକାରୀ ସେବକଙ୍କୁ ଛାଡ଼ିଲେ ୨୧ବର୍ଷରୁ କମ୍ ଓ ୬୫ବର୍ଷରୁ ଅଧିକ ବୟସର କୌଣସି ବ୍ୟକ୍ତିଙ୍କୁ ମନ୍ଦିରର କୌଣସି କାର୍ଯ୍ୟର ଦାୟିତ୍ୱ ଦିଆଯିବ ନାହିଁ । ପରିଚାଳନା କମିଟି ମନ୍ଦିରର ସେବାପୂଜାରେ ନିୟୋଜିତ ସମସ୍ତ ସେବକଙ୍କୁ ପଞ୍ଜିକୃତ କରିବା ସହ ସେମାନଙ୍କୁ ଆଇକାର୍ଡ ପ୍ରଦାନ କରିବ । କୌଣସି ସେବକ,ପରିଚାଳନା କମିଟି ସଦସ୍ୟ ଓ ମନ୍ଦିରର କର୍ମଚାରୀ ବିନା ଆଇକାର୍ଡରେ ମନ୍ଦିର ଭିତରେ ପ୍ରବେଶ କଲେ ତାଙ୍କ ଉପରେ ୫୦୦ଟଙ୍କା ଜୋରିମାନା ଧାର୍ଯ୍ୟ କରାଯିବ । ମନ୍ଦିରକୁ ଦାନ ଦେବା ପାଇଁ ହୁଣ୍ଡି ସ୍ଥାପନ କରାଯିବ, ଯାହାକି ପ୍ରତି ୨ମାସରେ ଥରେ ନିଶ୍ଚିତ ଭାବେ ଖୋଲାଯିବ ବୋଲି ଏହି ଚିଠା ଆଇନରେ ପ୍ରାବଧାନ ରହିଛି ।


