ବିଧାନସଭାରେ ଆସିଲା ‘ସୁଭଦ୍ରା’ ଯୋଜନାର ଏସ୍ଓପି । ଏସ୍ଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୨ ଅଗଷ୍ଟ ୨୦୨୪ ତାରିଖରେ ଲୋକସେବା ଭବନରେ ଆୟୋଜିତ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକର ନିଷ୍ପତ୍ତ ଅନୁଯାୟୀ ଏହି ଯୋଜନା ଆର୍ଥିକ ବର୍ଷ ୨୦୨୪-୨୫ ରୁ ଆରମ୍ଭ ହୋଇ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏଥିପାଇଁ ୫୫,୮୨୫ କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ ହୋଇଥିବା ସୂଚନା।
ଏହି ଯୋଜନାରେ ରାଜ୍ୟର ୨୧ରୁ ୬୦ ବର୍ଷର ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନାର ସହାୟତା । ଏଥିରେ ରାଜ୍ୟର ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ ।ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରତିବର୍ଷ ସମସ୍ତ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମା ଦିବସ ଏବଂ ଅନ୍ତର୍ଜାତୀୟ ମହିଳା ଦିବସ (୮ ମାର୍ଚ୍ଚ) ରେ ୫,୦୦୦/- ଟଙ୍କା ଲେଖାଏଁ ବାର୍ଷିକ ମୋଟ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ । ତେଣୁ, ପାଞ୍ଚ ବର୍ଷରେ ଜଣେ ଯୋଗ୍ୟ ମହିଳା ହିତାଧିକାରୀ ମୋଟ ୫୦,୦୦୦ ଟଙ୍କା ପାଇବେ । ସହାୟତା ପ୍ରଦାନରେ ସ୍ବଚ୍ଛତାକୁ ନିଶ୍ଚିତ କରିବା ପାଇଁ ଆଧାର ପେମେଣ୍ଟ ବ୍ରିଜ୍ ସିଷ୍ଟମ (APBS) ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନଙ୍କ ଆଧାର-ସକ୍ଷମ ଏକକ-ଧାରକ (DBT) ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଆର୍ଥିକ ସହାୟତା ପଠାଯିବା ସଙ୍ଗେ ସଙ୍ଗେ ହିତାଧିକାରୀମାନଙ୍କୁ ଏକ “ସୁଭଦ୍ରା” ଡେବିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯିବ ।
ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଏବଂ Urban Local Body ରେ ସର୍ବାଧିକ ପରିମାଣର ଡିଜିଟାଲ୍ କାରବାର କରିଥିବା ୧୦୦ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଅତିରିକ୍ତ ୫୦୦ ଟଙ୍କା ପ୍ରୋତ୍ସାହନ ରାଶି ରୂପେ ପ୍ରଦାନ କରାଯିବ ।“ସୁଭଦ୍ରା” ଯୋଜନା ର ଶୁଭାରମ୍ଭ ଯଥାଶୀଘ୍ର କରିବା ପାଇଁ ଆମ ସରକାର ପଦକ୍ଷେପ ନେଉଛନ୍ତି ।ରାଜ୍ୟ କ୍ୟାବିନେଟର ଏହି ଦୂରଦୃଷ୍ଟି ସମ୍ପନ୍ନ ଓ ସୁଦୂରପ୍ରସାରୀ ନିଷ୍ପତ୍ତା ସରକାରଙ୍କ ଦ୍ବାରା ଜନସାଧାରଣଙ୍କୁ ଦିଆଯାଇଥିବା ପ୍ରତିଶୃତିକୁ ପୂରଣ କରିବ ।


