ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟର ଦୁର୍ଗମ ଅଞ୍ଚଳଗୁଡ଼ିକରେ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟାର ପରାମର୍ଶ ନିମନ୍ତେ ଲୋକମାନେ ଡାକ୍ତରଙ୍କ ନିକଟରେ ପହଂଚିବା ଅସମ୍ଭବ ମନେହେଉଥିବା ବେଳେ ଆଜି ସେ ସବୁ ଅଂଚଳରେ ଲୋକଙ୍କୁ ଏମବିବିଏସ୍ ଡାକ୍ତରଙ୍କ ଦ୍ୱାରା ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ରାଜ୍ୟ ସରକାର ଆଧୁନିକ ଜ୍ଞାନକୌଶଳ ବ୍ୟବହାର ଜରିଆରେ ‘ଡିଜିଟାଲ ଡିସ୍ପେନ୍ସାରି’ ବ୍ୟବସ୍ଥା ଆରମ୍ଭ କରିଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏବଂ ଗ୍ଲୋବାଲ ହେଲ୍ଥ କେଆର ସିଷ୍ଟମ (ପ୍ରା) ଲିମିଟେଡ୍ ମଧ୍ୟରେ ଉପରୋକ୍ତ ମର୍ମରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଉପସ୍ଥିତ ଥିଲେ । ପ୍ରତ୍ୟେକ ଡିଜିଟାଲ ଡିସ୍ପେନ୍ସାରିରେ ଭିଡିଓ କନଫେରନ୍ସିଂ ମାଧ୍ୟମରେ ଏମବିବିଏସ୍ ଡାକ୍ତରଙ୍କ ଠାରୁ ପରାମର୍ଶ ଗ୍ରହଣ ବ୍ୟବସ୍ଥା କରାଯାଇଛି । ଏଥିସହିତ ପ୍ରତ୍ୟେକ ଡିସପେନସାରିରେ ଜଣେ ଲେଖାଏଁ ଫାର୍ମାସିଷ୍ଟ, ଷ୍ଟାଫ ନର୍ସ, ଲାବରୋଟୋରୀ ଆସିଷ୍ଟାଂଟଙ୍କୁ ନିଯୁକ୍ତ କରାଯାଇଛି । ପ୍ରତ୍ୟେକ ଡିସ୍ପେନ୍ସାରିରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯଥା ; ପରିସ୍ରା,ରକ୍ତରେ ହେମୋଗ୍ଲୋବିନ୍ ଓ ସର୍କରା ମାତ୍ରା ଚିହ୍ନଟ ନିମନ୍ତେ ପରୀକ୍ଷା, ମ୍ୟାଲେରିଆ, ଡେଙ୍ଗୁ, ରକ୍ତଚାପ, ଇସିଜି, ଗର୍ଭଧାରଣ ଚିହ୍ନଟ ଭଳି ବିଭିନ୍ନ ପ୍ରକାର ଆବଶ୍ୟକୀୟ ପରୀକ୍ଷା ବ୍ୟବସ୍ଥା କରାଯିବା ସହିତ ବିନାମୂଲ୍ୟରେ ଔଷଧ ଯୋଗାଣ ବ୍ୟବସ୍ଥା କରାଯାଇଛି । ଲୋକମାନଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଏହି ସମସ୍ତ ସୁବିଧା ବିନାମୂଲ୍ୟରେ ଯୋଗାଇ ଦିଆଯିବ । ପରୀକ୍ଷାମୂଳକ ଭାବରେ ନବରଙ୍ଗପୁର ଜିଲ୍ଲାର ୨୫ଟି ଓ କେନ୍ଦୁଝର ଜିଲ୍ଲାର ୫ଟି ସ୍ଥାନରେ ଏହି ଯୋଜନା ଗ୍ଲୋବାଲ ହେଲ୍ଥ କେଆର ସିଷ୍ଟମ (ପ୍ରା) ଲିମିଟେଡ୍ ସହଯୋଗରେ ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ ଲକ୍ଷରୁ ଉଦ୍ଧ୍ୱର୍ଲୋ କ ଏହି ସେବା ଦ୍ୱାରା ଉପକୃତ ହୋଇଛନ୍ତି ।
ପରୀକ୍ଷାମୂଳକ ପ୍ରୟୋଗ ସଫଳ ହେବାପରେ ଓଡ଼ିଶାର ୨୩ଟି ଜିଲ୍ଲାରେ ୧୦୨ଟି ସ୍ଥାନରେ ଡିଜିଟାଲ ଡିସ୍ପେନ୍ସାରି ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ଏହି ଜିଲ୍ଲାଗୁଡିକ ହେଉଛି; ଅନୁଗୁଳ, ବାଲେଶ୍ୱର, ବରଗଡ, ବଲାଙ୍ଗୀର, ବୌଦ୍ଧ, କଟକ, ଦେବଗଡ଼,ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୂଆପଡା, ପୁରୀ, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ଼ । ଏହି ଜିଲ୍ଳାଗୁଡିକର ଦୁର୍ଗମ ଅଚଂଳ ମାନଙ୍କରେ ଯେଉଁଠି ଲୋକମାନେ ସାଧାରଣତଃ ଡାକ୍ତରଙ୍କ ନିକଟରେ ପହଚିଂପାରନ୍ତି ନାହିଁ ସେହିଠାରେ ଡିଜିଟାଲ ଡିସପେନସାରି ପ୍ରତିଷ୍ଠା କରାଯିବ । ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ଦୁର୍ଗମ ଅଚଂଳରେ ବାସକରୁଥିବା ଅଧିବାସୀମାନଙ୍କ ଘର ପର୍ଯ୍ୟନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପହଚାଂଇ ହେବ ଓ ଏହା “ସୁସ୍ଥ ଓଡ଼ିଶା – ସୁଖୀ ଓଡ଼ିଶା” ଗଠନର ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ।


