ଭୁବନେଶ୍ୱର(ଓଡ଼ିଶା ୱେୟାର):ନୂଆବର୍ଷରୁ ରାଜ୍ୟ ପ୍ରଶାସନ ନୂଆ ରୂପରେ ଦେଖିବାକୁ ମିଳିବ । ୧୯୮୬ ବ୍ୟାଚ ଆଇଏଏସ୍ ତଥା ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିବା ସହ ଉନ୍ନୟନ କମିଶନର ସୁରେଶ କୁମାର ମହାପାତ୍ରଙ୍କୁ ମୁଖ୍ୟ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଡିସେମ୍ବର ୩୧ତାରିଖ ଅପରାହ୍ନରେ ଶ୍ରୀ ମହାପାତ୍ର ରାଜ୍ୟ ପ୍ରଶାସନିକ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ।
ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୯ଜଣ ବରିଷ୍ଠ ଆଇଏଏସଙ୍କୁ ପଛରେ ପକାଇ ୧୯୮୯ ବ୍ୟାଚ ଆଇଏଏସ୍ ପ୍ରଦୀପ କୁମାର ଜେନାଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ଅବଶ୍ୟ ଏଥିରୁ ୫ଜଣ ଅଫିସର ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ଦୀର୍ଘବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଗୁଡବୁକରେ ଥିବା ଦକ୍ଷ ଆଇଏଏସ୍ ଶ୍ରୀ ଜେନାଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦେଇ ରାଜ୍ୟ ସରକାର ଏକପ୍ରକାର ପୁରସ୍କୃତ କରିଛନ୍ତି । ବରିଷ୍ଠତା ଭିତ୍ତିରେ ସୁରେଶ ମହାପାତ୍ରଙ୍କ ତଳକୁ ତାଙ୍କ ବ୍ୟାଚ ୧୯୮୬ ମସିହାର ଆଇଏଏସ୍ ଜିଭିଭି ଶର୍ମା ଓ ଏସପି ଠାକୁର ଅଛନ୍ତି । ଶ୍ରୀ ଶର୍ମା କେନ୍ଦ୍ରୀୟ ଡେପୁଟେସନରେ ଥିବାବେଳେ ସେ ୨୦୨୨ ଅକ୍ଟୋବରରେ ଅବସର ନେବେ । ଶ୍ରୀ ଠାକୁର କେବିକେ ମୁଖ୍ୟ ପ୍ରଶାସକ ଥିବାବେଳେ ୨୦୨୩ ମାର୍ଚ୍ଚରେ ଅବସର ନେବେ । ତାଙ୍କ ତଳକୁ ୧୯୮୭ ବ୍ୟାଚର ତୁହିନକାନ୍ତ ପାଣ୍ଡେ , ନିକୁଞ୍ଜ କୁମାର ସୁନ୍ଦରାୟ ଓ ରାଜେଶ ବର୍ମା ଏବେ କେନ୍ଦ୍ରୀୟ ଡେପୁଟେସନରେ ଥିବାବେଳେ ସେହି ବ୍ୟାଚର ଆରକେ ଶର୍ମା ଏବେ କୃଷି ଉତ୍ପାଦନ କମିଶନର ଭାବେ କାର୍ଯ୍ୟରତ । ସେ ୨୦୨୩ ଅଗଷ୍ଟରେ ଅବସର ନେବେ । ସେହିପରି ୧୯୮୮ ବ୍ୟାଚର ସିଜେ ବେଣୁଗୋପାଳ ଏବେ ରାଜସ୍ୱ ପର୍ଷଦ ସଦସ୍ୟ ଥିବାବେଳେ ସେହି ବ୍ୟାଚର ପ୍ରଦୀପ୍ତ କୁମାର ମହାପାତ୍ର ଏବେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସେହି ବ୍ୟାଚର ପରାଗ ଗୁପ୍ତା ଏବେ କେନ୍ଦ୍ରୀୟ ଡେପୁଟେସନରେ ଥିବାବେଳେ ୧୯୮୯ ବ୍ୟାଚର ପ୍ରଦୀପ କୁମାର ଜେନା ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନର ଭାବେ କାର୍ଯ୍ୟ କରୁଥିଲେ ।
ଉଲ୍ଲେଖଯୋଗ୍ୟ, ଶ୍ରୀ ଜେନା ଜଳସମ୍ପଦ ବିଭାଗ ଓ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ଭାବେ କାର୍ଯ୍ୟ କରିବାବେଳେ ଏହି ଦୁଇ ବିଭାଗର ସମସ୍ତ ନିର୍ମାଣ କାର୍ଯ୍ୟକୁ ଶତପ୍ରତିଶତ ଟେଣ୍ଡର ମାଧ୍ୟମରେ ସମ୍ପନ୍ନ କରାଇବା ଓ ପିସି କାରବାର ଉପରେ ଅଙ୍କୁଶ ଲଗାଇବାରେ ସେ ସକ୍ଷମ ହୋଇଛନ୍ତି ।


