ଭୁବନେଶ୍ୱର(ଓଡ଼ିଶା ୱେୟାର): ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧ଲକ୍ଷ ୩୨ହଜାର ୬୬୦କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି। ଏହା ଗତ ବଜେଟ ତୁଳନାରେ ପ୍ରାୟ ୧୦% ଅଧିକ। ବଜେଟରେ ନୂଆ ଯୋଜନା ଘୋଷଣା ହୋଇ ନଥିବାବେଳେ ପୂର୍ବ ଘୋଷିତ ଯୋଜନା ଯଥା କାଳିଆ, ପିଠା, ଛାତ୍ରବୃତ୍ତି ଆଦି କାର୍ଯ୍ୟକ୍ରମ ପାଇଁ ଅର୍ଥବରାଦ ହୋଇଛି। ବଜେଟରେ କାଳିଆ ଯୋଜନା ପାଇଁ ସର୍ବାଧିକ ୪୪୬୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି।
ଆଜି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ବିଧାନସଭାରେ ୨୦୧୯-୨୦ ମସିହା ପାଇଁ ମୋଟ ୧ଲକ୍ଷ ୩୨ହଜାର ୬୬୦କୋଟି ଟଙ୍କାର ବଜେଟ୍ ଆଗତ କରିଥିଲେ ମଧ୍ୟ ଏଥିରୁ ପ୍ରଥମ ୪ମାସ ପାଇଁ (ଏପ୍ରିଲରୁ ଜୁଲାଇ) ୫୬୯୨୧ କୋଟି ଟଙ୍କାର ଲେଖାନୁଦାନ(କାମଚଳା ବଜେଟ)ର ଅନୁମୋଦନ ଲୋଡ଼ିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ରାଜସ୍ୱ ପ୍ରାପ୍ତି ୧ଲକ୍ଷ ୧୦ହଜାର ୭୧୦କୋଟି ଟଙ୍କା ମିଳିବ ଓ ଖର୍ଚ୍ଚ ୧ଲକ୍ଷ ୨ହଜାର ୨୨୭କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବଜେଟରେ ରାଜସ୍ୱ ବଳକା ୮୪୩୩କୋଟି ଟଙ୍କା ରହିବ । ସେହିପରି ବିତ୍ତୀୟ ନିଅଣ୍ଟ ୧୬,୧୯୩କୋଟି ଟଙ୍କା(ମୋଟ ଜିଡିପିର ୩%) ରହିବ।ଏହି ବିତ୍ତୀୟ ନିଅଣ୍ଟ ୨୦୧୮-୧୯ରେ ୨.୯% ଥିଲା। କାଳିଆ, କାଳିଆ ଛାତ୍ରବୃତ୍ତି, ପିଠା, ଆମ ଗାଁ ଆମ ବିକାଶ, ନିଜସ୍ୱ ଖାଦ୍ୟ ନିରାପତ୍ତା ଯୋଜନା ଆଦି ନିମନ୍ତେ ଅର୍ଥବରାଦ କରିଛନ୍ତି। କାଳିଆ ଯୋଜନାରେ ୫୦ଲକ୍ଷ ଚାଷୀ ପରିବାର(ଭାଗ ଚାଷୀ ଓ ଭୂମିହୀନ ଚାଷୀ ସମେତ)ଙ୍କୁ ସହାୟତା ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ବେହେରା କହିଛନ୍ତି।
ଅର୍ଥମନ୍ତ୍ରୀ କହିଛନ୍ତି ଯେ ୨୦୧୮-୧୯ରେ ସଂଶୋଧିତ ବଜେଟ ୧ଲକ୍ଷ ୨୦ହଜାର ୧୨୫କୋଟି ଟଙ୍କା ଥିବାବେଳେ ରାଜସ୍ୱ ପ୍ରାପ୍ତି ୧ଲକ୍ଷ ୧ହଜାର ୮୮୩କୋଟି ଟଙ୍କା ରହିଛି। ଏଥିରୁ ୯୧,୩୩୮କୋଟି ଟଙ୍କା ବ୍ୟୟ ହୋଇଛି ଓ ୧୦,୫୫୫କୋଟି ଟଙ୍କା ରାଜସ୍ୱ ବଳକା ରହିଛି । କିନ୍ତୁ ୨୦୧୮-୧୯ରେ ୧୦ହଜାର କୋଟି ଟଙ୍କାରୁ ଅଧିକ ରାଜସ୍ୱ ବଳକା ଥିବାବେଳେ ସରକାରଙ୍କ ଋଣ ବୋଝ କିନ୍ତୁ ହ୍ରାସ ପାଇଛି। ତେବେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ମାସ ପାଇଁ ଯେଉଁ ଲେଖାନୁଦାନ ଆଗତ ହୋଇଛି ସେଥିରେ ନିର୍ବାଚନୀ ଖର୍ଚ୍ଚ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା(୨ହଜାର କୋଟି) ନିମନ୍ତେ ଶତପ୍ରତିଶତ ବ୍ୟୟବରାଦ ହୋଇଥିବାବେଳେ ଅନ୍ୟ ଖର୍ଚ୍ଚ ପାଇଁ ୪୦% ଅର୍ଥ ବରାଦ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।
ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟ ସରକାର କର୍ମଚାରୀଙ୍କ ଦରମା ବାବଦରେ ୨୫,୫୦୦କୋଟି ଓ ପେନସନ ବାବଦରେ ୧୩,୩୦୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରିଛନ୍ତି। ଋଣ ପରିଶୋଧ ନିମନ୍ତେ ସୁଧ ବାବଦରେ ୬୫୦୦କୋଟି ଟଙ୍କା ବ୍ୟୟ କରିବେ । ଜାତୀୟ ଅଭିବୃଦ୍ଧି ହାର ୭.୧ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଅଭିବୃଦ୍ଧି ହାର ୮% ରହିଛି। ୨୦୧୯-୨୦ ମସିହାରେ ଆର୍ଥିକ ଅଭିବୃଦ୍ଧି ହାର ୮.୫% ହେବ ବୋଲି ଆକଳନ କରାଯାଇଛି । ଗତ ୧୦ବର୍ଷ ମଧ୍ୟରେ ୮୦ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି ବୋଲି ଅର୍ଥମନ୍ତ୍ରୀ ଆଜି ବଜେଟ ଅଭିଭାଷଣରେ ସୂଚନା ଦେଇଛନ୍ତି। ୨୦୧୯ ମାର୍ଚ୍ଚ ସୁଦ୍ଧା ରାଜ୍ୟର ଋଣବୋଝ ୮୭,୬୫୦କୋଟି ଟଙ୍କା ହେବ ବୋଲି ବଜେଟରେ ଆକଳନ ହୋଇଛି ।
କେଉଁ ଯୋଜନା ପାଇଁ କେତେ
ବଜେଟରେ କାଳିଆ ଯୋଜନା ପାଇଁ ୪୪୬୧ କୋଟି ଟଙ୍କା, ପିଠା ଯୋଜନାରେ ୪୦୦ କୋଟି ଟଙ୍କା, ଗ୍ରାମାଞ୍ଚଳ ପାନୀୟ ଜଳ ଯୋଗାଣ(ବସୁଧା) ପାଇଁ ୨୯୩୫କୋଟି ଟଙ୍କା, ମଧୁବାବୁ ପେନସନ ଯୋଜନାରେ ୨୧୨୦କୋଟି, ବିଜୁ ଯୁବ ବାହିନୀ ପାଇଁ ୧୦୫କୋଟି ଟଙ୍କା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୮୬୪କୋଟି, ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ବୃତ୍ତି ବାବଦରେ ୯୫୯କୋଟି ଟଙ୍କା, ଚାଷୀଙ୍କ ସୁଧ ରିହାତି ପାଇଁ ୮୦୦କୋଟି, ଏକ ଟଙ୍କାରେ ଚାଉଳ ଯୋଗାଣ ପାଇଁ ୧୦୨୮କୋଟି ଟଙ୍କା, ଆଦର୍ଶ ବିଦ୍ୟାଳୟ ପାଇଁ ୩୦୦କୋଟି, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୩୫୦କୋଟି ଟଙ୍କା ଆଦି ବ୍ୟୟବରାଦ ହୋଇଛି ।


