ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଅନୁଷ୍ଠିତ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଆଜି ସକାଳ ୧୦.୩୦ ମିନିଟ୍ ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦିନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଏହି ଫଳ ଘୋଷଣା କରିଛନ୍ତି । ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ୬୮.୭୯ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବାବେଳେ ବାଣିଜ୍ୟରେ ପାସହାର ୭୪.୯୧ ପ୍ରତିଶତ ରହିଛି । ଯୁକ୍ତ ଦୁଇ କଳାରେ ପାସ କରିଥିବା ମଧ୍ୟରେ ପ୍ରଥମ ଶ୍ରେଣୀରେ ୧୯,୯୯୩ ଜଣ, ଦ୍ୱିତୀୟ ଶ୍ରେଣୀରେ ୨୬,୦୭୬ ଜଣ ଓ ତୃତୀୟ ଶ୍ରେଣୀରେ ୧,୧୨,୧୪୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଯୁକ୍ତ ଦୁଇ କଳାରେ ପୁରୀ ଜିଲ୍ଲାର ସର୍ବାଧିକ ୭୯.୮୭ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବାବେଳ ନବରଙ୍ଗପୁରର ପାସ ହାର ସର୍ବନିମ୍ନ ୪୭.୫୮ ପ୍ରତିଶତ ରହିଛି । ଯୁକ୍ତ ଦୁଇ କଳା ପରୀକ୍ଷାରେ ୨,୩୦,୨୦୬ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବାବେଳେ ୧,୫୮,୩୭୮ ଜଣ କୃତକାର୍ଯ୍ୟ ହୋଇଛନ୍ତି । କୃତକାର୍ଯ୍ୟ ହୋଇଥିବା ବିଦ୍ୟାର୍ଥୀଙ୍କ ମଧ୍ୟରେ ୬୩,୭୫୯ ଜଣ ଛାତ୍ର ଓ ୯୪,୬୧୯ ଜଣ ଛାତ୍ରୀ ଅଛନ୍ତି ।
ସେହିପରି ଯୁକ୍ତ ଦୁଇ ବାଣିଜ୍ୟ ପାଠ୍ୟକ୍ରମରେ ପରୀକ୍ଷା ଦେଇଥିବା ୨୬,୯୮୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ
୨୦,୨୧୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ବାଣିଜ୍ୟରେ ପାସହାର ୭୪.୯୧ ପ୍ରତିଶତ ରହିଛି । ଛାତ୍ରୀମାନଙ୍କ
ପାସ ହାର ୭୮.୪୮ ରହିଥିବାବେଳେ ଛାତ୍ରମାନଙ୍କ ପାସହାର ୭୩.୧୧ ପ୍ରତିଶତ ରହିଛି । ପ୍ରଥମ ଶ୍ରେଣୀରେ ୪,୦୦୬
ଜଣ, ଦ୍ୱିତୀୟ ଶ୍ରେଣୀରେ ୩,୭୩୪ ଜଣ ଓ ତୃତୀୟ ଶ୍ରେଣୀରେ ୧୨,୪୭୦ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଯୁକ୍ତ ଦୁଇ
ବାଣିଜ୍ୟରେ ନୟାଗଡ଼ ଜିଲ୍ଲାର ୯୫.୫୯ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷାରେ ଚଳିତ ବର୍ଷ ୫୨.୬୧ ପ୍ରତିଶତ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ପରୀକ୍ଷା ଦେଇଥିବା ୭,୯୬୬ ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରୁ ୨,୦୮୦ ଜଣ ଛାତ୍ର ଓ ୨,୧୧୧ ଛାତ୍ରୀ ଏହି ପରି ମୋଟ ୪,୧୯୧ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୯୯ ଜଣ ପ୍ରଥମ ଶ୍ରେଣୀ, ୧,୬୯୨ ଜଣ ଦ୍ୱିତୀୟ ଶ୍ରେଣୀ ଓ ୨,୦୫୧ ଜଣ ତୃତୀୟ ଶ୍ରେଣୀରେ ସଫଳତା ହାସଲ କରିଛନ୍ତି । ବରଗଡ ଜିଲ୍ଲରୁ ସର୍ବାଧିକ ୮୧.୮୯ ଜଣ ଧନ୍ଦାମୂଳକ ଶିକ୍ଷାରେ ପାସ କରିଛନ୍ତି ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରସରରେ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ବାର୍ଷିକ ଫଳ
ପ୍ରକାଶନ ସମୟରେ ପରିଷଦର ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ପଟ୍ଟନାୟକ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁନ୍ଦରଲାଲ
ସିଲ୍, ପରିଷଦର ସଂପାଦକ ପ୍ରଣବ ମଙ୍ଗରାଜ, ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ, ବିଭାଗୀୟ
ଉପନିର୍ଦ୍ଦେଶକ ତୁଷାରକାନ୍ତି ତି୍ରପାଠୀ, ଉପନିୟନ୍ତ୍ରକ ପ୍ରବୋଧ ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ
ରହି ଫଳ ପ୍ରକାଶନ ସଂପର୍କରେ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ ।


