ଦୁବାଇ : ୟୁଏଇ ଶାସକ ଶେଖ୍ ମହମ୍ମଦ ବିନ ରାଶିଦ ଅଲ୍ ମକତୁମଙ୍କ ଷଷ୍ଠ ପତ୍ନୀ ରାଜକୁମାରୀ ହୟା ବିନ୍ତ ଅଲ ହୁସେନ୍ ଦେଶ ଛାଡ଼ି ପଳାୟନ କରିଛନ୍ତି । ସେ ପ୍ରାୟ ୨୭୧ କୋଟି ଟଙ୍କା ଓ ନିଜର ଦୁଇ ଶିଶୁଙ୍କ ସହ ଫେରାର ହୋଇଯାଇଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ହୟା ଏବେ ଲଣ୍ଡନରେ କୌଣସି ଏକ ସ୍ଥାନରେ ଲୁଚି ରହିଛନ୍ତି। ରାଜକୁମାରୀ ହୟା ହେଉଛନ୍ତି ଜୋର୍ଡାନର ରାଜା ଅବଦୁଲ୍ଲାଙ୍କ ସାବତ ଭଉଣୀ।
ଶେଖ ମହମ୍ମଦ ଏବେ ୟୁଏଇର ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଅଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ଦୁବାଇରୁ ଫେରାର ହେବା ପରେ ହୟା ପ୍ରଥମେ ଜର୍ମାନୀ ଯାଇଥିଲେ। ସେଠାକୁ ଯିବାପରେ ସେ ଶେଖ ମହମ୍ମଦଙ୍କଠୁ ଛାଡ଼ପତ୍ର ଦାବି କରିଥିଲେ। ସେ ନିଜ ସହ ତାଙ୍କ ଦୁଇ ସନ୍ତାନ ଜଲିଲା(୧୧) ଓ ଜାୟେଦ(୭)ଙ୍କୁ ମଧ୍ୟ ନେଇଯାଇଛନ୍ତି। ତାଙ୍କୁ ରାଜନୀତିକ ଆଶ୍ରୟ ଦେବାକୁ ସେ ଜର୍ମାନୀ ସରକାରଙ୍କୁ ଅନୁରୋଧ କରିଛନ୍ତି।
ହୟା ଅକ୍ସଫୋର୍ଡ ୟୁନିର୍ଭସିଟିରୁ ପାଠ ପଢ଼ିଛନ୍ତି। ତାଙ୍କୁ ମେ’ ୨୦ତାରିଖ ପରଠୁ ସାର୍ବଜନୀନ ସ୍ଥଳରେ ତାଙ୍କୁ ଦେଖିବାକୁ ମିଳୁନଥିଲା। ଫେବୃୟାରୀରୁ ସୋଶାଲ ମିଡିଆ ଆକାଉଣ୍ଟରେ ମଧ୍ୟ ସେ ସକ୍ରିୟ ନଥିଲେ। ମିଡିଆ ରିପୋର୍ଟ ଅନୁସାରେ ରାଜକୁମାରୀ ହୟାଙ୍କୁ ୟୁଏଇରୁ ଫେରାର ହେବା କାର୍ଯ୍ୟରେ ଜର୍ମାନୀର ରାଷ୍ଟ୍ରଦୂତ ସହଯୋଗ କରିଛନ୍ତି। ଏହି କାରଣ ଯୋଗୁ ଜର୍ମାନୀ ଓ ୟୁଏଇ ମଧ୍ୟରେ ଏବେ କୂଟନୀତିକ ସଙ୍କଟ ସୃଷ୍ଟି ହୋଇଛି। ଏହାବ୍ୟତୀତ ଶେଖ୍ ମହମ୍ମଦ ମଧ୍ୟ ତାଙ୍କ ପତ୍ନୀଙ୍କୁ ଦୁବାଇ ଫେରାଇ ଦେବା ପାଇଁ ଜର୍ମାନୀ ସରକାରଙ୍କୁ ଅନୁରୋଧ କରିଛନ୍ତି। କିନ୍ତୁ ଜର୍ମାନୀ ସରକାର ଏହି ଅନୁରୋଧକୁ ଅଗ୍ରାହ୍ୟ କରିଦେଇଛନ୍ତି। ରାଜପରିବାର ସହ ଜଡ଼ିତ ସୂତ୍ର ଅନୁସାରେ ହୟା ଦେଶ ଛାଡ଼ି ଦେଇଛନ୍ତି ଓ ଛାଡ଼ପତ୍ର ପାଇଁ ଦାବି କରିଛନ୍ତି।
ଏହାପୂର୍ବରୁ ଶେଖଙ୍କ ଝିଅ ରାଜକୁମାରୀ ଲତିଫା ଦେଶ ଛାଡ଼ି ଫେରାର ହେବାକୁ ପ୍ରୟାସ କରିଥିଲେ। କିନ୍ତୁ ତାଙ୍କୁ ଭାରତୀୟ ଉପକୂଳରୁ ଧରି ନିଆଯାଇଥିଲା ଓ ସେବେଠୁ ସେ ଫେରାର ଅଛନ୍ତି। ମାନବାଧିକାର ସଂଗଠନଗୁଡ଼ିକ ସନ୍ଦେହ କରୁଛନ୍ତି ଯେ ଲତିଫା ଏବେ ୟୁଏଇର କୌଣସି ସ୍ଥାନରେ ନଜରବନ୍ଦୀ ଅଛନ୍ତି।


