-
୪ଟି ସମ୍ପୂର୍ଣ୍ଣ ନୂଆ ଖଣି
-
ଟେଣ୍ଡର ଦସ୍ତାବିଜ ଦାଖଲର ଶେଷ ତାରିଖ ଏପ୍ରିଲ ୨୫
ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟ ସରକାର ୮ଟି ଖଣି ବ୍ଲକର ନିଲାମ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି । ଏଥିରେ ୪ଟି ସମ୍ପୂର୍ଣ୍ଣ ନୂଆ ଖଣି ସମେତ ଲିଜ୍ ସମାପ୍ତ ହୋଇଥିବା ଅନ୍ୟ ୪ଟି ଖଣି ବ୍ଲକ ରହିଛି । କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ୪ଟି ଲେଖାଏଁ ଖଣି ରହିଛି ।
ରାଜ୍ୟ ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ଏସବୁ ଖଣିଜ ବ୍ଲକଗୁଡ଼ିକର ଲିଜ୍ ପ୍ରଦାନ ନିମନ୍ତେ ଇ-ନିଲାମୀ ପ୍ରକ୍ରିୟା ପାଇଁ ଆଜି ବିଧିବଦ୍ଧ ଟେଣ୍ଡର ଆହ୍ୱାନ କରାଯାଇଛି । ଏମଏମଡିଆର ଆକ୍ଟ-୧୯୫୭ର ଧାରା-୧୦(ଖ)ରେ ପ୍ରଦତ୍ତ କ୍ଷମତା ଆଧାରରେ ରାଜ୍ୟ ସରକାର ଏହି ଖଣିଗୁଡ଼ିକର ଇ-ନିଲାମୀ କରିବା ନିମନ୍ତେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି । ଏଥିରେ ୪ଟି ଲୁହାପଥର, ଗୋଟିଏ ଲୁହାପଥର ଓ ମାଙ୍ଗାନିଜ, ୨ଟି ମାଙ୍ଗାନିଜ୍ ଓ ଲୁହାପଥର ଏବଂ ଗୋଟିଏ ମାଙ୍ଗାନିଜ୍ ଖଣି ରହିଛି । ଏହି ଖଣିଗୁଡ଼ିକର ନିଲାମୀରେ ସାମିଲ ହେବାକୁ ଇଚ୍ଛୁକ ବିଡରଙ୍କୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଏମଏସଟିସି ଲିମିଟେଡ୍ ୱେବସାଇଟରେ ପଞ୍ଜିକୃତ କରିବାକୁ ପଡ଼ିବ । ତା’ପରେ ଆବଶ୍ୟକ ଦସ୍ତାବିଜ ଦାଖଲ କରି ସେମାନେ ଇ-ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇପାରିବେ । ଏହି ନିଲାମୀ ପ୍ରକ୍ରିୟାରେ ସାମିଲ ପାଇଁ ଟେଣ୍ଡର ଦସ୍ତାବିଜ କ୍ରୟ କରିବାର ଶେଷ ତାରିଖ ଏପ୍ରିଲ ୧୬ତାରିଖ ଧାର୍ଯ୍ୟ କରାଯାଇଥିବାବେଳେ ଟେଣ୍ଡର ଦସ୍ତାବିଜ ଦାଖଲର ଶେଷ ତାରିଖ ୨୦୨୫ ଏପ୍ରିଲ ୨୫ତାରିଖ ରହିଛି । ପ୍ରତ୍ୟେକ ଖଣିଜ୍ ବ୍ଲକ ପାଇଁ ଟେଣ୍ଡର ଦସ୍ତାବିଜ ବାବଦରେ ୫ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ଟିକସ ଦାଖଲ କରିବାକୁ ପଡ଼ିବ ।
ପ୍ରଥମଥର ପାଇଁ ବିଡିଂ ପ୍ରକ୍ରିୟାରେ ସାମିଲ ହୋଇଥିବା ସମ୍ପୂର୍ଣ୍ଣ ନୂଆ ୪ଟି ଖଣି ହେଲା ସୁନ୍ଦସରଗଡ଼ ଜିଲ୍ଲାର ଝୁମକା-ପଥିରିପୋଷି ପଶ୍ଚିମ ଲୁହାପଥର ଖଣି ବ୍ଲକ, ଓରାହୁରି ମାଙ୍ଗାନିଜ୍ ଓ ଲୁହାପଥର ଖଣି ବ୍ଲକ ଓ ଭାଞ୍ଜିକୁସୁମ୍ ମାଙ୍ଗାନିଜ୍ ବ୍ଲକ ସମେତ କେନ୍ଦୁଝର ଜିଲ୍ଲାର ରୋଇଡ଼ା ଡି ମାଙ୍ଗାନିଜ୍ ବ୍ଲକ ରହିଛି । ସେହିପରି ଅନ୍ୟ ଯେଉଁ ୪ଟି ଖଣିର ଲିଜ୍ ଅବଧି ସମାପ୍ତ ହୋଇସାରିଛି ଓ ପୁଣିଥରେ ଲିଜ୍ ପ୍ରଦାନ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି ସେଗୁଡ଼ିକ ହେଲା କେନ୍ଦୁଝର ଜିଲ୍ଲାର ରୋଇଡ଼ା-ଆଇ ଲୁହାପଥର ଓ ମାଙ୍ଗାନିଜ୍ ଖଣି ବ୍ଲକ, ପୁତୁଲିପାଣି ଲୁହାପଥର ବ୍ଲକ, ଜଳାହୁରି ଲୁହାପଥର ଓ ମାଙ୍ଗାନିଜ୍ ୍ବ୍ଲକ ସମେତ ସୁନ୍ଦରଗଡ଼ର କୋଇଡ଼ା ଲୁହାପଥର ଖଣି ବ୍ଲକ ରହିଛି । ଏହି ୪ଟି ଖଣିର ଲିଜ୍ ଅବଧି ସମାପ୍ତ ହୋଇସାରିଛି । କୋଇଡ଼ା ଲୁହାପଥର ଖଣିର ଲିଜ୍ ୨୦୨୧ ଅଗଷ୍ଟ ପର୍ଯ୍ୟନ୍ତ ଏସେଲ ମାଇନିଂ ପାଖରେ ରହିଥିଲା । କିନ୍ତୁ କମ୍ପାନୀ ୨୦୨୨ ଅଗଷ୍ଟ ମାସରେ ଏହି ଖଣି ରାଜ୍ୟ ସରକାରଙ୍କୁ ଫେରସ୍ତ କରିଦେଇଥିଲା । ଯାହାକୁ ଏଥର ନିଲାମ ପ୍ରକ୍ରିୟାରେ ସରକାର ସାମିଲ କରିଛନ୍ତି । ସେହିପରି ରୋଇଡ଼ା-ଆଇ ଲୁହାପଥର ଓ ମାଙ୍ଗାନିଜ୍ ଖଣି ବ୍ଲକର ଲିଜ୍ ଅବଧି ୨୦୨୧ ମସିହାରେ ସରିଯାଇଥିଲା । ଏହି ଖଣିର ଲିଜ୍ ମେସର୍ସ ମିଡଇଷ୍ଟ ଇଂଟିଗ୍ରେଟେଡ୍ ଷ୍ଟିଲ ଲିଃ ପାଖରେ ରହିଥିଲା । ପୁତୁଲିପାଣି ଲୁହାପଥର ଖଣିର ଲିଜ୍ ୨୦୨୧ରେ ଶେଷ ହୋଇଛି । ଉକ୍ତ ଖଣିର ଲିଜ୍ କଳିଙ୍ଗ କର୍ମସିଆଲ କର୍ପୋରେସନ୍ ଲିଃ ପାଖରେ ରହିଥିଲା । ସେହିପରି ଜଳାହୁରି ଲୁହାପଥର ଖଣି ଓ ମାଙ୍ଗାନିଜ୍ ବ୍ଲକର ଲିଜ୍ ଅବଧି ୨୦୨୧ ମସିହାରୁ ଶେଷ ହୋଇଛି ଓ ଏହା ମେସର୍ସ ମାଲା ରଏ ଆଣ୍ଡ ସନ୍ସ ପାଖରେ ରହିଥିଲା ।


