ଭୁବନେଶ୍ୱର(ଓଡ଼ିଶା ୱେୟାର): ଭାଇକୁ ଖଣ୍ଡାରେ ହାଣିଲା, ଆଉ ହାଣିଲା ପରେ ଖୁସି ଅଛ କି ନାହିଁ ବୋଲି ଫେସବୁକରେ ପୋଷ୍ଟ କରି ପଚାରିଲା । ଥାନା ଅଧୀନ ବୋତଣ୍ଡା ଅଞ୍ଚଳର ପ୍ରକାଶ ବେହେରାଙ୍କୁ ତାଙ୍କ ସାନ ଭାଇ ରାକେଶ ବେହେରା ଖଣ୍ଡାରେ ହାଣି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି । ସାମାନ୍ଯ କଳହକୁ କେନ୍ଦ୍ରକରି ସାନ ଭାଇ ବଡ଼ ଭାଇକୁ ଖଣ୍ଡାରେ ହାଣି ଲହୁଲୁହାଣ କରିଥିବା ନେଇ ଏୟାରଫିଲଡ଼ ଥାନାରେ ଅଭିଯୋଗ ହୋଇଛି । ଖଣ୍ଡାରେ ହାଣି ସାରିବା ପରେ, ଗେଟ ବାହାରକୁ ଘୋଷାଡ଼ି ନେବାର ଫୁଟେଜ ସାମ୍ନାକୁ ଆସିଛି । ହାଣି ସାରିବା ପରେ, ଅଭିଯୁକ୍ତ ସିଗାରେଟ ଟାଣି ଭିଲେନ ଭଳି ପୋଜ ଦେଇ ଫେସବୁକରେ ପକ୍କା ଖୁସି ତ ବୋଲି ଲେଖି ପୋଷ୍ଟ କରିଛି । ଅଭିଯୁକ୍ତର ଆକ୍ରମଣ ପରେ ଆହତ ହୋଇଥିବା ଏବଂ କୋଭିଡରେ ଆକ୍ରାନ୍ତ ଥିବା ପ୍ରକାଶ ବେହେରା ଓ ତାଙ୍କ ସ୍ତ୍ରୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଏହାସହ ରାକେଶ ବେହେରା ଓରଫ ରାକା ନାଁରେ ଥାନାରେ ଅଭିଯୋଗ ହୋଇଛି । ଘଟଣାର ସିସିଟିଭି ଫୁଟେଜ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।


