ରାୟପୁର: ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ଦେଶରେ ଜଳସଙ୍କଟ ଦେଖାଦେଉଛି ବୋଲି କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ମେଘୱାଲ କହିଛନ୍ତି । ନଦୀଗୁଡ଼ିକ ଶୁଖିଲା ପଡ଼ିବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମେଘୱାଲ ଅଜବ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଭାରତୀୟ ସଂସ୍କୃତିକୁ ଲୋକମାନେ ପରିତ୍ୟାଗ କରିବା ଯୋଗୁ ଜଳସଙ୍କଟ ଦେଖାଦେଇଛି । ଆଗରୁ ଲୋକମାନେ ଲୋଟା ଓ ବାଲ୍ଟି ଉପଯୋଗ କରୁଥିଲେ । ଏବେ ଲୋକମାନେ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ଟବ୍ ଉପଯୋଗ କରୁଛନ୍ତି । ସରକାର ସଚେତନତା ସୃଷ୍ଟି କରିବାର ପ୍ରୟାସ କରୁଛନ୍ତି ।
ସେହିପରି ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମେଘୱାଲ କହିଛନ୍ତି ଯେ, ଆସନ୍ତା ମୌସୁମୀ ଅଧିବେଶନରେ ଏକକ ଟ୍ରିବ୍ୟୁନାଲ ବିଲ୍ ଆସିବ ଓ ମହାନଦୀ ଜଳ ବିବାଦର ଶୀଘ୍ର ସମାଧାନ ହେବ । ବିଭିନ୍ନ ରାଜ୍ୟରେ ନଦୀ ଜଳ ବିବାଦର ସମାଧାନ ଦିଗରେ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି । ରାଜ୍ୟଗୁଡ଼ିକର ନିଜ ନିଜର ବିବାଦ ରହିଛି । ଏହି ବିବାଦକୁ ସମାପ୍ତ କରିବା ପାଇଁ ଟ୍ରିବ୍ୟୁନାଲ ଗଠନ କରାଯାଇଛି । ଟ୍ରିବ୍ୟୁନାଲ ଏହାର ନିଷ୍ପତ୍ତି କରିବେ । କେନ୍ଦ୍ର ମନ୍ତ୍ରୀ ନୀତିନ୍ ଗଡକରୀ ରାଜ୍ୟର ବିବାଦର ସମାଧାନ ପାଇଁ ରାଜ୍ୟଗୁଡ଼ିକ ମଧ୍ୟରେ ବୈଠକ ଉପରେ ଗୁରୁତ୍ୱ ଦେଇଛନ୍ତି । କେନ୍ଦ୍ର ସରକାର ମଧ୍ୟ ଏ ଦିଗରେ ଆଉ ଏକ ପଦକ୍ଷେପ ନେଇଛନ୍ତି । ମୌସୁମୀ ଅଧିବେଶନରେ ଏକକ ଟ୍ରିବ୍ୟୁନାଲ ଗଠନର ବିଲ୍ ଆସିପାରେ । ଯାହାଫଳରେ ମହାନଦୀ ସମେତ ସମସ୍ତ ଜଳ ବିବାଦର ସମାଧାନ କରାଯାଇପାରିବ ବୋଲି ଶ୍ରୀ ମେଘୱାଲ କହିଛନ୍ତି ।


