ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଚଳିତମାସ ୯ତାରିଖରେ ପ୍ରକାଶ ପାଇବ । ଆଜି ଏନେଇ ସିଏଚଏସଇ କର୍ତୃପକ୍ଷ ଆନୁଷ୍ଠାନିକ ଭାବେ ସୂଚନା ଦେଇଛନ୍ତି ।
ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଗତକାଲି ଏ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଚଳିତ ସପ୍ତାହର ଶେଷ ଭାଗରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ଅଧ୍ୟାପକମାନଙ୍କ ଆନ୍ଦୋଳନ ଯୋଗୁ ପରୀକ୍ଷା ଫଳ ପ୍ରକାଶିତ ହେବାରେ ସାମାନ୍ୟ ବିଳମ୍ବ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସ୍ୱୀକାର କରିଛନ୍ତି । ତେବେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ନିର୍ଦ୍ଧାରିତ ସମୟରେ ମେ’ ୧୯ତାରିଖରେ ପ୍ରକାଶିତ ହୋଇଛି ଓ ଚଳିତବର୍ଷ ପାସ୍ ହାର ୭୬.୯୮ ପ୍ରତିଶତ ରହିଛି । ଚଳିତବର୍ଷ ରାଜ୍ୟର ୧୫୦୪ କଲେଜର ମୋଟ ୩ଲକ୍ଷ ୮୦ହଜାର ୭୦୭ଜଣ ଛାତ୍ରଛାତ୍ରୀ ୧୧୦୬ଟି ପରୀକ୍ଷା କେନ୍ଦ୍ରରେ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷା ମାର୍ଚ୍ଚ ୬ରୁ ୨୯ତାରିଖ ମଧ୍ୟରେ ହୋଇଥିଲା ।


