ଭୁବନେଶ୍ୱର : ଭାରତର ଜାତୀୟ କ୍ରୀଡ଼ା ଭାବେ ହକିକୁ ମାନ୍ୟତା ନିମନ୍ତେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଦାବିକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ଖାରଜ କରିବା ପରେ ଏବେ କଂଗ୍ରେସ ମଧ୍ୟ କ୍ଷମତାସୀନ ବିଜେଡି ସରକାରକୁ ଏହି ପ୍ରସଙ୍ଗରେ ସମର୍ଥନ ଜଣାଇଛି ।
ଦଳର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି ଯେ, ହକି ଜାତୀୟ କ୍ରୀଡ଼ା ଭାବେ ସରକାରୀସ୍ତରରେ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହେବା ଜରୁରୀ । ଏହାକୁ ନେଇ ଅବହେଳା କରାଯାଇଛି । ଯେତେବେଳେ ଏହା ଲୋକଲୋଚନକୁ ଆସିଲାଣି ସରକାରୀସ୍ତରରେ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରିବା ଉଚିତ୍ । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ଦ୍ୱାରା ଜାରି ବୟାନ ଅଶୋଭନୀୟ । ସେହିପରି କଂଗ୍ରେସ ବିଧାୟକ ଡଃ ପ୍ରଫୁଲ୍ଲ ମାଝୀ କହିଛନ୍ତି ଯେ, ହକିକୁ ଜାତୀୟ କ୍ରୀଡ଼ା ଭାବେ ଆନୁଷ୍ଠାନିକ ମାନ୍ୟତା ନିଶ୍ଚିତ ମିଳିବା ଦରକାର । କ୍ରୀଡ଼ା କ୍ଷେତ୍ରରେ ବିଶେଷକରି ହକିରେ ଓଡ଼ିଶା ଉଭୟ ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ସୂଚନାଯୋଗ୍ୟ ଓଡ଼ିଶାରେ ଚଳିତବର୍ଷ ବିଶ୍ୱକପ୍ ହକି ମ୍ୟାଚ ଆୟୋଜନ ହେଉଛି । ଏହି ମ୍ୟାଚର ସମୀକ୍ଷାବେଳେ ହକିକୁ ଜାତୀୟ କ୍ରୀଡ଼ା ବୋଲି କୁହାଯାଉଥିଲେ ମଧ୍ୟ ଏଥିପାଇଁ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହୋଇନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣିବାକୁ ପାଇଥିଲେ । ସେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି କରିଥିଲେ ।


