ଭୁବନେଶ୍ୱର:ଗତ ଦେଢମାସ ହେଲା ପୋଲିସ ଓ ଓକିଲଙ୍କ ମଧ୍ୟରେ ଦେଖାଦେଇଥିବା ସ୍ଥିତାବସ୍ଥା ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ କରିବାକୁ ଅପିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ ସୋସିଆଲ ମିଡିଆରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭିଡିଓ ଜାରି କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦଶହରା ପରେ ସମସ୍ତେ ନିଜନିଜ କାମକୁ ଫେରିଛନ୍ତି।ଓକିଲ ଓ ପୋଲିସ ବନ୍ଧୁ ମାନଙ୍କ ମଧ୍ୟରେ ଯେଉଁ ବିବାଦ ଦେଖାଦେଇଛି ତାର ସମାଧାନ ରାସ୍ତା ଏଯାଏଁ ଆସିନି।ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ବିଭିନ୍ନ ପ୍ରସ୍ତାବ ଓ ଅପେକ୍ଷା ମଧ୍ୟରେ ସାଧାରଣ ଲୋକଟିଏ ପେସି ହୋଇଗଲାଣି।ଅନେକ ଲୋକ ଚାକିରୀ, ଜମିଜମା ବିବାଦ, ସାମାନ୍ୟ ଜାମିନ୍ କୋର୍ଟରେ ହୋଇପାରୁନି।ଶ୍ରୀ ପ୍ରଧାନ କହିଛନ୍ତି ଯେ, ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି।ଏହାର ସମଧାନ କିପରି ବାହାରିବ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବା ଦରକାର।ସମସ୍ତେ ନିଜର ସ୍ୱାଭାବିକ କାମ କଲେ ସମାଜ ପାଇଁ ଏହା ଭଲ ହେବ।ଏଥିପାଇଁ ଯିଏ ଦାୟିତ୍ୱରେ ଅଛନ୍ତି ତାଙ୍କର ଭୂମିକା ନାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।
ବିରୋଧୀ ଦଳ ଭାବେ ପ୍ରସଙ୍ଗ ଉଠାଇଲେ ଶାସକ ଦଳକୁ ଚେଙ୍କ ଓ କଷ୍ଟ ଲାଗେ।ଏ ଅପାରଗ ସରକାର।ଅପାରଗତା ଠାରୁ ବଡ ଉଦାହରଣ ଆଉ କଣ ହୋଇପାରେ।ମୁଖ୍ୟମନ୍ତ୍ରୀଙ୍କ ନୀରବତା ଅପାରଗତାର ବଡ ଉଦାହରଣ ଠାରୁ ଆଉ କଣ ହୋଇପାରେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।ନିଜେ ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମନ୍ତ୍ରୀ,ନ୍ୟାୟପାଳିକା ପାଖରେ ତାଙ୍କର ଉତର ଦାୟିତ୍ୱ ଅଛି।ଭୁଲ ଠିକର ତର୍ଜମା ସେ କରିବାକୁ ଚାହୁଁନାହାନ୍ତି।ଉଭୟଙ୍କ ମଧ୍ୟରେ ସମସ୍ୟାର ସମାଧାନର ଦାୟିତ୍ୱ କାହାର।ଏହାର ସମାଧାନ ଯଦି ନହେଉଛି ଏହାକୁ ଅପାରଗତା କୁହାଯିବନି ତ ଆଉ କଣ କୁହାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଦେଢରୁ ଦୁଇମାସ ହେଲା ସ୍ଥିତାବସ୍ଥା ଅଛି।ଏହା ଯେତେଶୀଘ୍ର ସମାଧାନ ହେବ ଗରିବ ଲୋକ, ସାମାନ୍ୟ ଲୋକ, ଓଡିଆ ଲୋକ ନ୍ୟାୟ ପାଇବ।ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବା ଦରକାର।ତାଙ୍କର ଡିଜି କଣ କରୁଛନ୍ତି।ମୁଖ୍ୟଶାସନ ସଚିବଙ୍କ ଭୂମିକା ଅଛି କି ନାହିଁ।ସମାଧାନ ପାଇଁ ଦାୟିତ୍ୱ କାହାକୁ ଦେବାକୁ ପଡିବ ବୋଲି ସେ ପ୍ରଶ୍ନ କରିଛନ୍ତି।ସରକାରଙ୍କ ଅପାରଗତା ଓ ସ୍ଥାଣୁତା ପାଇଁ ସମାଜକୁ ଆହୁରି ପଙ୍ଗୁ କରିବ।ସବୁ କଥାରେ ଆଗରେ ପଡି ହସ୍ତକ୍ଷେପ କରୁଥିବା ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ ଭିଡିଓରେ ଅପିଲ୍ କରିଛନ୍ତି ।


