ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ଓଡ଼ିଶାରୁ ତିନି ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜେପି ପକ୍ଷରୁ ପୂର୍ବତନ ଆଇଏଏସ୍ ଅଫିସର ଅଶ୍ୱିନୀ ବୈଷ୍ଣବ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ବିଜେଡି ପକ୍ଷରୁ ପୂର୍ବତନ ଏଜି ଅମର ପଟ୍ଟନାୟକ ଓ ମୁଖପାତ୍ର ସସ୍ମିତ ପାତ୍ର ନାମାଙ୍କନ ଦାଖଲ କରିଛନ୍ତି। ବିଧାନସଭାର ସ୍ୱତନ୍ତ୍ର ପ୍ରକୋଷ୍ଠରେ ରିଟର୍ଣ୍ଣିଂ ଅଫିସର ବିଷ୍ଣୁପ୍ରସାଦ ମିଶ୍ରଙ୍କ ନିକଟରେ ସେମାନେ ନାମାଙ୍କନପତ୍ର ଦାଖଲ କରିଥିଲେ।
ଏହି ୩ଜଣଙ୍କ ବ୍ୟତୀତ ଅନ୍ୟ କୌଣସି ଦଳୀୟ ପ୍ରାର୍ଥୀ ନଥିବାରୁ ସେମାନଙ୍କର ବିଜୟ ସୁନିଶ୍ଚିତ । ତେବେ ଅଶ୍ୱିନୀଙ୍କ ପାଇଁ ବିଜେଡି ୫ବର୍ଷିଆ ଆସନ(ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବାକି କାର୍ଯ୍ୟକାଳ) ଛାଡ଼ିଥିବାବେଳେ ସସ୍ମିତ ୩ବର୍ଷିଆ(ପ୍ରତାପ ଦେବଙ୍କ ବାକି ଅବଧି) ଓ ଅମର ୫ବର୍ଷିଆ(ଅଚ୍ୟୁତଙ୍କ ବାକି ଅବଧି) ପାଇଁ ରାଜ୍ୟସଭାକୁ ଯିବେ ବୋଲି ଜଣାପଡ଼ିଛି । ଅମର ଓ ସସ୍ମିତ ୩ ସେଟ୍ ଲେଖାଏ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ଅଶ୍ୱିନୀ ମାତ୍ର ୨ ସେଟ୍ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅଶ୍ୱିନୀଙ୍କ ନାମାଙ୍କନ ପତ୍ରରେ କେବଳ ବିଜେପି ବିଧାୟକମାନେ ଦସ୍ତଖତ କରିଥିଲେ ।ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ନାମାଙ୍କନ ପତ୍ର ଦାଖଲ କଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ। ସେହିପରି ଅଶ୍ୱିନୀ ନାମାଙ୍କନ ପତ୍ର ଦାଖଲ କଲା ବେଳେ ବିଜେପି ବିଧାୟକଙ୍କ ସହିତ ବହୁ ବିଜେଡି ନେତା ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପ୍ରତାପ ଦେବ ବିଧାନସଭା ନିର୍ବାଚନ ଜିତିବା ପରେ ସେମାନଙ୍କ ଆସନ ଖାଲି ପଡ଼ିଛି। ସେହିପରି ଅଚ୍ୟୁତ ଲୋକସଭାକୁ ନିର୍ବାଚିତ ହେବା ପରେ ତାଙ୍କ ସିଟ୍ ଖାଲି ପଡ଼ିଛି।


