ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଧାନସଭା ପରିଚାଳନା କ୍ଷେତ୍ରରେ ସୃଷ୍ଟି ହୋଇଛି ନୂଆ ପରମ୍ପରା। ପାର୍ଲାମେଣ୍ଟ ଢାଞ୍ଚାରେ ସୁରୁଖୁରୁରେ ବିଧାନସଭା ପରିଚାଳନା ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରସର୍ବଦଳୀୟ ବୈଠକ ଡାକି ସବୁ ଦଳର ସହଯୋଗ ଲୋଡ଼ିଛନ୍ତି। ଏଥିରେ ସବୁ କାର୍ଯ୍ୟ ଦିବସରେ ଗୋଟିଏ ବଦଳରେ ଦୁଇଟି ମୁଳତବୀ ପ୍ରସ୍ତାବ ସହ ସବୁ ଦିନ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଆଣିବାକୁ ଦାବି କରିଛନ୍ତି ବିରୋଧୀ। ସେପଟେ କାଲିଠାରୁ ଆରମ୍ଭ ହେଉଥିବା ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ଲମ୍ବା ତାଲିକା ରହିଥିବା ବେଳେ ଶାସକ ଦଳ ସବୁର ମୁକାବିଲା ପାଇଁ ପୁରାପୁରି ପ୍ରସ୍ତୁତ ଥିବା କହିଛି।
ପ୍ରାୟତଃ ବିଧାନସଭା କାର୍ଯ୍ୟରେ ଅଚଳାବସ୍ଥା ଦେଖାଦେଲେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥାନ୍ତି। କିନ୍ତୁ ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ। ମୂଳ ଲକ୍ଷ୍ୟ ହେଲା, ବିଧାନସଭାକୁ ସୁରୁଖୁରୁରେ ଚଳାଇବା । ସେପଟେ ବିଧାନସଭାର ସବୁ କାର୍ଯ୍ୟ ଦିବସରେ ଗୋଟିଏ ବଦଳରେ ଦୁଇଟି ମୁଲତବୀ ପ୍ରସ୍ତାବ ସହ ପ୍ରତ୍ୟେକ ଦିନ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଆଣିବାକୁ ସର୍ବଦଳୀୟ ବୈଠକରେ ଦାବି କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଏହି ବୈଠକରେ ବିଜେପି ନେତା ଜୟନାରାୟଣ ମିଶ୍ର, ପ୍ରଦୀପ୍ତ କୁମାର ନାଏକ,କଂଗ୍ରେସ ନେତା ନରସିଂହ ମିଶ୍ର, ବିଜେଡିର ଦେବୀପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ୨୦୧୯ ନିର୍ବାଚନରେ ବିଜେଡି ପଞ୍ଚମ ଥର କ୍ଷମତାକୁ ଫେରିବାପରେ ପ୍ରଥମ ଅଧିବେଶନ ବସିବାକୁ ଯାଉଛି।ଆସନ୍ତାକାଲି ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭା କାର୍ଯ୍ୟ ଅଧିବେଶନର ପ୍ରଥମ ପର୍ଯ୍ୟୟ । ଜୁଲାଇ ୨ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟୟ ଜୁଲାଇ ୧୨ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ। ଜୁନ୍ ୨୮ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ।


