ଭୁବନେଶ୍ୱର : ଦିଲ୍ଲୀର ସାମ୍ବାଦିକ ଅଭିଜିତ୍ ଆୟର ମିତ୍ରଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେବା ପରେ ସେ ଅକ୍ଟୋବର ୧୦ ତାରିଖରେ କୋଣାର୍କ ଥାନାରେ ହାଜର ହେବେ ବୋଲି ଜଣାପଡ଼ିଛି ।ଅଭିଜିତ୍ ଆଜି ଓଡ଼ିଶା ଆସିଛନ୍ତି ବୋଲି ଦିନତମାମ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିଲେ ମଧ୍ୟ ପୁଲିସ ପାଖରେ କୌଣସି ଖବର ନଥିଲା।ଅପରପକ୍ଷରେ ଅଭିଜିତ୍ ଆୟରର ରହଣୀକୁ ଦୃଷ୍ଟିରେ ରଖି ଜେଲ୍ ପରିସରରେ ସୁରକ୍ଷାକୁ କଡ଼ାକଡ଼ି କରିବା ନିମନ୍ତେ ଜେଲ ଡିଜି ଆଜି ପୁଲିସ ଡିଜିପିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।
ଆଜି ଅପରାହ୍ନରେ ପୁରୀ ଏସପି ସାଥର୍କ ଷଡ଼ଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ଅଭିଜିତ ଆୟରଙ୍କ ଓକିଲ ଏକ ଇ-ମେଲ୍ ପଠାଇ ତାଙ୍କର ମହକିଲଙ୍କୁ ୧୧ ତାରିଖରେ ଉପଯୁକ୍ତ ପୁଲିସ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ଅନୁରୋଧ କରିଛନ୍ତି ।ବିଧାନସଭା କମିଟି ପାଖରେ ୧୧ ତାରିଖରେ ହାଜର ହେବା ପାଇଁ ସେ ସୁରକ୍ଷା ଚାହିଁଥିବା ଇ-ମେଲରେ ଦର୍ଶାଯାଇଛି।ଏପଟେ ଜେଲ୍ ଏଡିଜି ଆଜି ପୁଲିସ ଡିଜିପିଙ୍କୁ ଚିଠି ଲେଖି ପୁରୀ ଏସପିଙ୍କୁ ଅଧିକ ସଂଖ୍ୟକ ଫୋର୍ସ ଦେବା ପାଇଁ ଅନୁରୋଧ କରିଛନ୍ତି । ଆୟରଙ୍କ ଗିରଫ ଓ ରିମାଣ୍ଡ ପାଇଁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ପୁରୀ ଏସପିଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି।ଆୟରଙ୍କ ସୁରକ୍ଷା ପାଇଁ ୩ ସେକ୍ସନ ଫୋର୍ସ ମୁତୟନ ନିମନ୍ତେ କୁହାଯାଇଛି ।
ସୂଚନାଯୋଗ୍ୟ ଗୁରୁବାର ଆୟରଙ୍କ ଜାମିନ ଆବଦେନକୁ ଖାରଜ କରି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇ କହିଥିଲେ ଯେ, ଧାର୍ମିକ ଭାବନାକୁ ଉସକାଇବା ଭଳି ମନ୍ତବ୍ୟ ଦେଇଥିବାରୁ ଜାମିନ ପ୍ରଦାନ ସମ୍ଭବପର ନୁହେଁ । ଏପରିକି ଆୟରଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ତାଙ୍କ ଓକିଲ କହିବା ପରେ ଜଷ୍ଟିସ ଗୋଗେଇ କହିଥିଲେ ଯେ, ଯଦି ତାଙ୍କ ଜୀବନ ପ୍ରତି ବିପଦ ଅଛି ତା’ହେଲେ ଜେଲ୍ ହିଁ ତାଙ୍କ ପାଇଁ ସବୁଠୁ ସୁରକ୍ଷିତ ସ୍ଥାନ।
ଓଡ଼ିଶା, କୋଣାର୍କ ମନ୍ଦିର ଓ ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଅରୁଚିକର ମନ୍ତବ୍ୟ ଦେବା ପାଇଁ ଶ୍ରୀ ଆୟରଙ୍କୁ ଓଡ଼ିଶା ପୁଲିସ ୨୦ତାରିଖରେ ଗିରଫ କରିଥିଲା । କିନ୍ତୁ ତାଙ୍କୁ ପରେ ସାକେତ କୋର୍ଟ ଜାମିନ ପ୍ରଦାନ କରିଥିଲେ । ସୁପ୍ରିମକୋର୍ଟ ମଧ୍ୟ ତାଙ୍କୁ ଅକ୍ଟୋବର ୫ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେଇଥିଲେ ।


