ଭୁବନେଶ୍ୱର : ୬୫ଟି ପୌର ପରିଷଦ ଓ ବ୍ରହ୍ମପୁର ମହାନଗର ନିଗମର କାର୍ଯ୍ୟକାଳ ଆଜି ଶେଷ ହେଉଥିବାରୁ ଏସବୁର ମୁଖ୍ୟ ଭାବେ ପ୍ରଶାସକମାନଙ୍କୁ ନିଯୁକ୍ତି ମିଳିଛି।
ଆଜି ସନ୍ଧ୍ୟାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆସନ୍ତାକାଲିଠୁ(ସେପ୍ଟମ୍ବର ୩୦ତାରିଖରୁ) ରାଜ୍ୟର ୨୦ଟି ଜିଲ୍ଲାର ୬୫ଟି ପୌର ପରିଷଦ ଓ ବିଜ୍ଞାପିତ ପରିଷଦ ଏବଂ ଗୋଟିଏ ମହାନଗର ନିଗମରେ ଥିବା ନିର୍ବାଚିତ ଲୋକପ୍ରତିନିଧିଙ୍କ ପରିବର୍ତେ ସମସ୍ତ କ୍ଷମତା ପ୍ରଶାସକଙ୍କ ହାତରେ ରହିବ।ଏସବୁ ପୌର ସଂସ୍ଥାର କାର୍ଯ୍ୟକାଳ ଆଜି ଶେଷ ହୋଇଥିବାରୁ ତଥା ସେଠାରେ ନିର୍ବାଚନ ହୋଇପାରିନଥିବାରୁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି।
ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୭ଟି ପୌର ପରିଷଦ/ଏନଏସିର ପ୍ରଶାସନିକ ଦାୟିତ୍ୱ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ, ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ହାତରେ ରହିଛି।ପ୍ରାୟତଃ ଆଜି କାର୍ଯ୍ୟକାଳ ସମାପ୍ତ ହୋଇଥିବା ସମସ୍ତ ପୌର ପରିଷଦ ଓ ଏନଏସିର ଦାୟିତ୍ୱ ସେସବୁ ଜିଲ୍ଲାରେ ଅବସ୍ଥାପିତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ମିଳିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ପୌର ପରିଷଦରେ ସିଟ୍ ସଂରକ୍ଷଣ ହାରକୁ ୫୦ ପ୍ରତିଶତରୁ ଅଧିକ ନକରିବା ପାଇଁ ହାଇକୋର୍ଟ ଦେଇଥିବା ରାୟକୁ ଗତକାଲି ସୁପ୍ରିମକୋର୍ଟ କାଏମ ରଖିଥିଲେ।ରାଜ୍ୟ ସରକାର ଏହି ସଂରକ୍ଷଣ ହାର ବୃଦ୍ଧି ନିମନ୍ତେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।


