ଭୁବନେଶ୍ୱର: ଶେଷରେ ପ୍ରଦେଶ ମହିଳା କଂଗ୍ରେସ ଅଧ୍ୟକ୍ଷା ପଦରେ ସସ୍ମିତା ବେହେରାଙ୍କ ସ୍ଥାନରେ ସୁମିତ୍ରା ଜେନାଙ୍କୁ ନିଯୁକ୍ତି ମିଳିଛି।ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଅନୁମୋଦନକ୍ରମେ ଶ୍ରୀମତୀ ଜେନାଙ୍କୁ ଏହି ପଦରେ ଅବସ୍ଥାପିତ କରାଯାଇଛି ବୋଲି ଏଆଇସିସି ସାଧାରଣ ସମ୍ପାଦକ ଅଶୋକ ଗେହଲଟଙ୍କ ଦ୍ୱାରା ଜାରି ପ୍ରେସ ରିଲିଜରେ କୁହାଯାଇଛି।
ଏହି ନିଯୁକ୍ତି ସହ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କୁ ପିସିସି ସାଧାରଣ ସମ୍ପାଦକ, ପୂର୍ବତନ ସାଂସଦ ବିଭୂପ୍ରସାଦ ତରାଇଙ୍କୁ ପିସିସି ଅନୁସୂଚିତ ଜାତି ସେଲ୍ ଅଧ୍ୟକ୍ଷ ଓ ଜଗନ୍ନାଥ ପଟ୍ଟନାୟକଙ୍କୁ ପିସିସି କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ଅବସ୍ଥାପିତ କରାଯାଇଛି।
ପିସିସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନିରଞ୍ଜନ ପଟ୍ଟନାୟକ ପିସିସି ଅଧ୍ୟକ୍ଷ ହେବାପରଠୁ ମହିଳା କଂଗ୍ରେସ ଅଧ୍ୟକ୍ଷା ପଦରୁ ଓହରିଯିବା ପାଇଁ ସସ୍ମିତାଙ୍କ ଉପରେ ଚାପ ପଡ଼ୁଥିଲା।ଏପରିକି ନିରଞ୍ଜନ ମଧ୍ୟ ସସ୍ମିତାଙ୍କୁ ନିଜଆଡ଼ୁ ମହିଳା କଂଗ୍ରେସ ଅଧ୍ୟକ୍ଷା ପଦ ଛାଡ଼ିବା ପାଇଁ ତାଗିଦ୍ କରିଥିଲେ।କିନ୍ତୁ ଏଆଇସିସି କୌଣସି ନିଷ୍ପତି ନେଇନଥିବାରୁ ଶ୍ରୀମତୀ ବେହେରା ଏହି ପଦରେ ରହିଥିଲେ।ପ୍ରସାଦ ହରିଚନ୍ଦନ ପିସିସି ସଭାପତି ଥିବାବେଳେ ଶ୍ରୀମତୀ ବେହେରାଙ୍କୁ ପ୍ରଦେଶ ମହିଳା କଂଗ୍ରେସ ଅଧ୍ୟକ୍ଷା ପଦରେ ଆସୀନ କରାଇଥିଲେ।


