ଭୁବନେଶ୍ୱର(ଓଡ଼ିଶା ୱେୟାର):ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସନ୍ତା ୧୫ ତାରିଖରେ ପୁଣି ଓଡ଼ିଶା ଆସିବେ । ଏହି ଦିନ ଶାହ ସମ୍ବଲପୁରରେ ଆୟୋଜିତ କାର୍ୟ୍ୟକ୍ରମରେ ୪ଟି ଲୋକସଭା କ୍ଷେତ୍ରର ଦଳୀୟ ସଂଗଠକମାନଙ୍କ ସହ ଆଲୋଚନା କରିବେ।
ସଭାରେ ଢେଙ୍କାନାଳ, ସମ୍ବଲପୁର, ବରଗଡ଼ ଏବଂ ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରର ବୁଥ୍ ସଭାପତି, ସଂପାଦକ ଓ ପ୍ରଭାରୀମାନଙ୍କୁ ଗୁରୁମନ୍ତ୍ର ଦେବେ ଶାହ। କାର୍ୟ୍ୟକ୍ରମରେ ପ୍ରାୟ ୬୦ ହଜାର ବୁଥ୍ ସ୍ତରୀୟ ସଂଗଠକ ଯୋଗଦେବାର କାର୍ୟ୍ୟକ୍ରମ ରହିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ସୂଚନା ଦେଇଛନ୍ତି ।ଗତ ରବିବାର ପୁରୀ ଗସ୍ତରେ ଆସି ଆକ୍ରମଣାତ୍ମକ ଭଙ୍ଗିରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଶାହ। ପୁରୀ ସମାବେଶରେ ସିଧାସିଧା ନବୀନ ସରକାରଙ୍କୁ ଟାର୍ଗେଟ କରିବା ସହ ବିଜେଡିକୁ ଓପାଡ଼ି ଫୋପାଡ଼ି ଦେବାକୁ ସେ ଆହ୍ୱାନ ଦେଇଥିଲେ।
ଉଭୟ କଂଗ୍ରେସ ଓ ବିଜେଡି ଅମଳରେ ଓଡ଼ିଶାର ବିକାଶ ହୋଇନାହିଁ ବୋଲି ଶାହ କହିବା ସହ ବିଜେଡିକୁ କଂଗ୍ରେସର ବି ଟିମ୍ ବୋଲି ଆକ୍ଷେପ କରିଥିଲେ।


