ଜୟପୁର(ଓଡ଼ିଶା ୱେୟାର):ସିବିଆଇ ବୃତ୍ତିଗତଭାବେ ନିରପେକ୍ଷ ହୋଇ କାର୍ଯ୍ୟ କରୁ। କୌଣସି ରାଜନୀତିକ କାର୍ୟ୍ୟ ନ କରୁ ବୋଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନକୁ ଖଣ୍ଡନ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ,“ପ୍ରାୟ ଏକବର୍ଷ ହେବ ତୃଣମୂଳ କଂଗ୍ରେସର କେହି ଆମ ସହ ଯୋଗାଯୋଗ କରିନାହାନ୍ତି। ଗତକାଲି ଆମ ଦଳର ମତାମତ ଓଡ଼ିଶା ସମ୍ପର୍କିତ ଥିଲା। ଅନ୍ୟମାନଙ୍କ ଭଳି ଆମେ ମଧ୍ୟ ଚାହୁଁଛୁ କି ସିବିଆଇ ବୃତ୍ତିଗତ ଭାବେ ଓ ଅଣରାଜନୀତିକ କାର୍ଯ୍ୟ କରୁ। ଏହି ମାମଲାରେ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାକୁ ସମସ୍ତେ ପାଳନ କରିବା ଉଚିତ୍।” ସେହିପରି ତାଙ୍କୁ ସିବିଆଇ ପ୍ରଶ୍ନ କରିଥିବା ନେଇ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ଆଣିଥିବା ଅଭିଯୋଗକୁ ଖଣ୍ଡନ କରି ଏହା ‘ସମ୍ପୂର୍ଣ୍ଣ ବକବାସ’ ବୋଲି ନବୀନ କହିଛନ୍ତି।
ସୂଚନାଯୋଗ୍ୟ ଆଜି ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ କୋଲକାତାରେ ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,“ତାଙ୍କର ଧାରଣା/ପ୍ରତିବାଦକୁ ସେ ଜାରି ରଖିବେ କି ନାହିଁ ସେଥିପାଇଁ ସମସ୍ତ ସମଭାବାପନ୍ନ ଦଳଗୁଡ଼ିକ ସହ ବିଚାରବିମର୍ଶ କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଯେଉଁମାନେ ତାଙ୍କୁ ସମର୍ଥନ କରିଛନ୍ତି ସେ ସମସ୍ତଙ୍କ ମତାମତ ନେବେ। ଏପରିକି ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ,କାରଣ ସେ ତାଙ୍କୁ ଏ ପ୍ରସଙ୍ଗରେ ସମର୍ଥନ ଦେଇଥିଲେ।”


