ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହ ଜୁଲାଇ ୧ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ । ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଏହି ସୂଚନା ଦେଇ କହିଛନ୍ତି ଯେ, କେନ୍ଦ୍ରୀୟ ନେତୃତ୍ୱଙ୍କ ଏଜେଣ୍ଡାରେ ଓଡ଼ିଶା ଶୀର୍ଷରେ ରହିଛି । ଯେତେଦିନ ପର୍ଯ୍ୟନ୍ତ ଓଡ଼ିଶା ଓ ପଶ୍ଚିମବଙ୍ଗରେ ବିଜେପି କ୍ଷମତାକୁ ନଆସିଛି ସେପର୍ଯ୍ୟନ୍ତ ସୁବର୍ଣ୍ଣ ଯୁଗ ଆସିନାହିଁ ବୋଲି ଜାତୀୟ ସଭାପତି ଶ୍ରୀ ଶାହ ନିଜେ କହିଛନ୍ତି । ରାଜ୍ୟରେ ସାଂଗଠନିକ କାର୍ଯ୍ୟର ତଦାରଖ ଓ କର୍ମୀଙ୍କୁ ଉତ୍ସାହିତ ପାଇଁ ଜାତୀୟ ସଭାପତି ଆସୁଛନ୍ତି ବୋଲି ସେ କହିଛନ୍ତି । ଅପରପକ୍ଷରେ ଶ୍ରୀ ଶାହଙ୍କ ଗସ୍ତର ପ୍ରଭାବ କିଛି ପଡ଼ିବ ନାହିଁ ବୋଲି ଉଭୟ ବିଜେଡି ଓ କଂଗ୍ରେସ କହିଛନ୍ତି । ବିଜେଡିର ବରିଷ୍ଠ ନେତା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଯାତ୍ରା ଶୈଳୀରେ କଟାକ୍ଷ କରି କହିଛନ୍ତି ଯେ, “ହସ ଲାଗୁଛି ତବ ବାଣୀ ଶୁଣି । ବହୁବାର ଆସିଛନ୍ତି, ବହୁବାର ଯାଇଛନ୍ତି । କିଛି ଫରକ୍ ପଡ଼ିନି କି ପଡ଼ିବ ନାହିଁ । ଆଜି ମଧ୍ୟ କହୁଛି,ଗତକାଲି ବି କହିଥିଲି ଯେ ୧୨ ନହେଲେ ୨୦ ।”କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ମଧ୍ୟ ଅମିତ୍ ଶାହଙ୍କ ଗସ୍ତର ପ୍ରଭାବ କିଛି ଏଠି ପଡ଼ିବ ନାହିଁ ବୋଲି କହିଛନ୍ତି ।


