ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା-‘ଆୟୁଷ୍ମାନ ଭାରତ’ରେ ସାମିଲ ହେବାକୁ ଓଡ଼ିଶା ଏବେ ବି ଆଗ୍ରହୀ ଅଛି କିନ୍ତୁ ଏଥିପାଇଁ ରାଜ୍ୟର ଦାବିକୁ ଯଥାର୍ଥ ଭାବେ ପୂରଣ କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ନୂଆଦିଲ୍ଲୀରେ ଗତକାଲି ଅନୁଷ୍ଠିତ ହୋଇଥିବା ନିତି ଆୟୋଗ ଚତୁର୍ଥ ପରିଚାଳନା ପରିଷଦ ବୈଠକର ଦିନକ ପୂର୍ବରୁ ଅର୍ଥାତ୍ ଜୁନ୍ ୧୬ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଦେଶର ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ପାଇଁ କେନ୍ଦ୍ର ବଜେଟ୍ରେ ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା(ଏନ୍ଏଚ୍ପିଏସ୍) ଘୋଷଣା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଥିଲା । ଏହି ଘୋଷଣାକୁ ସେ ନିଜେ ସ୍ୱାଗତ କରିଥିଲେ । କାରଣ ଦାରିଦ୍ର୍ୟ ବିରୋଧରେ ଲଢ଼େଇ କରିବାକୁ ହେଲେ ଗରିବ ଲୋକଙ୍କ ପକେଟ୍ରୁ ସ୍ୱାସ୍ଥ୍ୟ ପାଇଁ ହେଉଥିବା ଖର୍ଚ୍ଚକୁ ରୋକିବା ଜରୁରୀ । ସେ ଭାବିଥିଲେ ଏହା ଏକ ସାର୍ବଜନୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ । କିନ୍ତୁ ପରେ ଏସ୍ଇସିସି ତଥ୍ୟକୁ ଆଧାର କରି ଏନ୍ଏଚ୍ପିଏସ୍ କାର୍ଯ୍ୟକ୍ରମ ଉପରେ ଅଙ୍କୁଶ ଲଗାଯାଇଛି । ଏସ୍ଇଇସି ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ୟୁପିଏ ସରକାରକୁ ଟାର୍ଗେଟ୍ କରି କହିଛନ୍ତି ଯେ, ଯେଉଁ ମାନଦଣ୍ଡକୁ ନିର୍ଦ୍ଧାରଣ କରି ୟୁପିଏ ସରକାର ସମୟରେ ଏସଇସିସି ସର୍ଭେ ହୋଇଥିଲା ସେଥିରେ ଅନେକ ତ୍ରୁଟି ରହିଥିଲା । ତେଣୁ ବହୁ ଯୋଗ୍ୟ ଗରିବ ଲୋକ ଏହି ତାଲିକାରୁ ବାଦ୍ ପଡ଼ିଛନ୍ତି । ଏହି କାରଣରୁ ରାଜ୍ୟ ସରକାର କୌଣସି କାର୍ଯ୍ୟକ୍ରମ ଆରମ୍ଭ କଲେ ତାକୁ ସାର୍ବଜନୀନ କାର୍ଯ୍ୟକ୍ରମ କରିଥାନ୍ତି । ଏସବୁ ଯୋଜନାଗୁଡ଼ିକ ମୁଖ୍ୟ ଉଦାହରଣ ହେଲା-ମମତା, ଗ୍ରାମାଞ୍ଚଳ ଗୃହ ନିର୍ମାଣ, ବାର୍ଦ୍ଧକ୍ୟ ଭତ୍ତା ଓ ଏନ୍ଏଫ୍ଏସ୍ଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏସ୍ଇସିସି ତଥ୍ୟକୁ ବିଚାରକୁ ନେଲେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସହାୟତା ଯୋଜନାରେ ସାମିଲ ଥିବା ରାଜ୍ୟର ପ୍ରାୟ ୪୦ଲକ୍ଷ ଲୋକ(୮ଲକ୍ଷ ପରିବାର) ବାଦ୍ ପଡ଼ିବାର ଆଶଙ୍କା ରହିଛି । ତେଣୁ ଏହି ଗରିବ ଲୋକଙ୍କୁ ସାମିଲ କରିବା ପାଇଁ ଓଡ଼ିଶା ଦାବି କରିଥିଲା । ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରିବା ପାଇଁ ରାଜ୍ୟ ସରକାର ଜନାଦେଶ ପାଇଛନ୍ତି । କିନ୍ତୁ ଏସ୍ଇସିସି ତଥ୍ୟ ବାହାରେ କିଛି କରିବା ସମ୍ଭବପର ନୁହେଁ ବୋଲି କେନ୍ଦ୍ର ସରକାରଙ୍କ ଅଧିକାରୀ ଜଣାଇବା ପରେ ଓଡ଼ିଶା ସରକାର ୭୦ଲକ୍ଷ ପରିବାର ପାଇଁ ସାର୍ବଜନୀନ ସ୍ୱାସ୍ଥ୍ୟ ସହାୟତା ଯୋଜନା ଘୋଷଣା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ପୁଣିଥରେ ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା’ ମାନ୍ୟତା ଦାବି ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ବହୁ ସଂଖ୍ୟାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକମାନେ ରହୁଥିବାବେଳେ ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ତେଣୁ ରାଜ୍ୟର ଦ୍ରୁତ ବିକାଶ ପାଇଁ ଉତ୍ତର-ପୂର୍ବାଞ୍ଚଳ ଓ ହିମାଳୟ ରାଜ୍ୟଗୁଡ଼ିକ ଭଳି କେନ୍ଦ୍ରୀୟ ସହାୟତାପ୍ରାପ୍ତ ଯୋଜନାରେ ଅଧିକ ଅନୁଦାନ ଓ ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା’ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ସେହିପରି ଫସଲ ଉତ୍ପାଦନର ଦେଢ଼ଗୁଣାକୁ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ନିର୍ଦ୍ଧାରଣ ପାଇଁ ଏହାର ବାସ୍ତବ ଆକଳନ ଓ ଆକଳନର ସର୍ତ୍ତାବଳୀ ଦାବି କରିଥିବାବେଳେ ଚାଷୀଙ୍କୁ ସଂଗଠିତ ଋଣ ପ୍ରଦାନକୁ ସୁଲଭ, ପର୍ଯ୍ୟାପ୍ତ ଓ ସଠିକ୍ ସମୟରେ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ‘ଋଣ ଛାଡ଼ ଉପରେ ଜାତୀୟ ନୀତି’ ପ୍ରଣୟନ କରିବାକୁ ଦାବି କରିଛନ୍ତି ।


