ଭୁବନେଶ୍ୱର : ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହ ରବିବାର ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶାହଙ୍କ ଗସ୍ତ ପାଇଁ ରାଜ୍ୟ ବିଜେପି ଚଳଚଂଚଳ ହୋଇପଡ଼ିଛି । ଆଜି ଶାହଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଜାତୀୟ ଅଧ୍ୟକ୍ଷ ଶ୍ରୀ ଶାହା ସକାଳ ସାଢ଼େ ୧୦ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ସେଠାରେ ତାଙ୍କୁ ଦଳ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ତା’ପରେ ସେ ଦଳର ରାଜ୍ୟ ମୁଖ୍ୟାଳୟକୁ ଆସିବେ । ସେଠାରୁ ଦିନ ୧୧ଟା ୧୫ମିନିଟ୍ରେ ପ୍ରଦର୍ଶନୀ ପଡ଼ିଆକୁ ଯିବେ ଯେଉଁଠି ଭୁବନେଶ୍ୱର, ପୁରୀ ଓ କଟକ ଲୋକସଭା ନିର୍ବାଚନମଣ୍ଡଳୀର ପଂଚାୟତ ପ୍ରତିନିଧିଙ୍କୁ ସମ୍ବୋଧିତ କରିବେ । ଏହା ପରେ ଦଳର ବରିଷ୍ଠ ନେତାମାନଙ୍କ ସହ ବୈଠକ କରିବେ । ସୋମବାର ସକାଳେ ନୂଆଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ ଶାହଙ୍କ ଗସ୍ତକାଳରେ କୌଣସି ସାଧାରଣ ସଭା କିମ୍ବା ମିଶ୍ରଣ ପର୍ବ ଦଳ ପକ୍ଷରୁ ରଖାଯାଇନି । ଶାହଙ୍କ ଗସ୍ତ କେବଳ ଦଳୀୟ କର୍ମକର୍ତାଙ୍କ ସହ ଭାବ ବିନିମୟ ମଧ୍ୟରେ ସୀମିତ ରହିବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗତ ଦୁଇମାସ ମଧ୍ୟରେ ଶାହାଙ୍କ ଏହା ଦ୍ୱିତୀୟ ଓଡ଼ିଶା ଗସ୍ତ ।


