ପ୍ରେସ୍ ଗ୍ୟାଲେରୀକୁ ମୋବାଇଲ ନେବାକୁ ବାଚସ୍ପତିଙ୍କ ସର୍ତ୍ତମୂଳକ ଅନୁମତି
ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀ ଚେତାଶୂନ୍ୟ ହୋଇପଡ଼ିଲେ
ସାମ୍ବାଦିକମାନଙ୍କ ପ୍ରତିବାଦକୁ ସମର୍ଥନ କଲେ ବିଜେଡି ଓ କଂଗ୍ରେସ
ଭୁବନେଶ୍ୱର(ଓଡ଼ିଶା ୱେୟାର): ଓଡ଼ିଶା ବିଧାନସଭାର ପ୍ରେସ୍ ଗ୍ୟାଲେରୀ ଭିତରକୁ ମୋବାଇଲ୍ ଫୋନ୍ ନେବା ଉପରେ କଟକଣାକୁ ବିରୋଧ କରି ଧାରଣାରେ ବସିଥିବା ସାମ୍ବାଦିକମାନେ ପୁଣିଥରେ ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି । ବାଚସ୍ପତି ସୁରମା ପାଢ଼ୀଙ୍କ ସହ ଆଲୋଚନା ପରେ ସ୍ଥିତି ସ୍ୱାଭାବିକ ହୋଇଛି । ଏହାସହିତ ସାମ୍ବାଦିକମାନେ ପ୍ରେସ୍ ଗ୍ୟାଲେରୀକୁ ମୋବାଇଲ ଫୋନ୍ ନେବାକୁ ବାଚସ୍ପତି ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ।
ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସାମ୍ବାଦିକମାନେ ପ୍ରେସ୍ ଗ୍ୟାଲେରୀକୁ ଯିବାବେଳେ ସୁରକ୍ଷାକର୍ମୀମାନେ ମୋବାଇଲ ଫୋନ୍ ଭିତରକୁ ନନେବା ପାଇଁ ବାରଣ କରିଥିଲେ । ଯାହାକୁ ନେଇ ସାମ୍ବାଦିକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏଭଳି ନିଷ୍ପତ୍ତିକୁ ବିରୋଧ କରି ଉଭୟ ପ୍ରିିଂଟ୍, ଟିଭି, ଡିଜିଟାଲ ମିଡିଆର ପ୍ରତିନିଧିମାନେ ବିଧାନସଭା ପରିସରସ୍ଥ ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିଥିଲେ । ସାମ୍ବାଦିକମାନଙ୍କ ପ୍ରତିବାଦକୁ ସମର୍ଥନ କରି ବିଜେଡି ଓ କଂଗ୍ରେସ ବିଧାୟକମାନେ ଘଟଣାସ୍ଥଳକୁ ଆସି ବାଚସ୍ପତିଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରିଥିଲେ । ତେବେ ପ୍ରାୟ ଅଢ଼େଇ ଘଂଟା ଧରି ସାମ୍ବାଦିକମାନେ ଧାରଣାରେ ବସି ରହିବା ପରେ ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଓ ବିଧାୟକ ଟଙ୍କଧର ତ୍ରିପାଠୀ ଧାରଣାସ୍ଥଳକୁ ଆସି ସାମ୍ବାଦିକମାନଙ୍କ ସହ ପ୍ରାରମ୍ଭିକ ଆଲୋଚନା କରିଥିଲେ । ଆଉ ସେମାନଙ୍କ ଉପସ୍ଥିତିରେ ସାମ୍ବାଦିକମାନେ ବାଚସ୍ପତି ଶ୍ରୀମତୀ ପାଢ଼ୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସଫଳ ହୋଇଛି । ପ୍ରେସ୍ ଗ୍ୟାଲେରୀ ଭିତରକୁ ସାମ୍ବାଦିକମାନେ ମୋବାଇଲ ଫୋନ୍ ନେଇଯାଇପାରିବେ । କିନ୍ତୁ କୌଣସି ଫଟୋ ଓ ଭିଡିଓ ଉତ୍ତୋଳନ କରିପାରିବେ ନାହିଁ । ଫୋନ୍ ସାଇଲେଂଟ୍ ମୋଡରେ ରହିବ । ପ୍ରିଣ୍ଟ ମିଡିଆ ନିମନ୍ତେ ପ୍ରଶ୍ନକାଳର ଅଧିକ ସଂଖ୍ୟକ ଫଟୋଗ୍ରାଫ୍ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଯଥେଷ୍ଟ ସଂଖ୍ୟକ କ୍ୟାମେରାମ୍ୟାନ୍ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଛି ।
ସୂଚନାଯୋଗ୍ୟ, ଆଜି ଗାନ୍ଧି ମୂର୍ତ୍ତି ତଳେ ସାମ୍ବାଦିକମାନେ ଧାରଣାରେ ବସି ରହିଥିବାବେଳେ ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀ ଚେତାଶୂନ୍ୟ ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ବିଧାନସଭା ପରିସରରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ସେ ସୁସ୍ଥ ଥିବା ଜଣାପଡ଼ିଛି ।


