ନୂଆଦିଲ୍ଲୀ : ଏଣିକି ଡାକଘରରେ ବ୍ୟାଙ୍କିଙ୍ଗ୍ ସୁବିଧା ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ (ଆଇପିପିବି)ର ଶୁଭାରମ୍ଭ କରିଛନ୍ତି।ଦିଲ୍ଲୀରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମ ସହିତ ସାରା ଦେଶର ୩ ହଜାରରୁ ଅଧିକ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମ ସଂଯୁକ୍ତ ହୋଇଥିଲା ।
ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ ଜରିଆରେ ବ୍ୟାଙ୍କସେବା ଏଣିକି ଅତି ସହଜରେ ଦେଶର ଅପହଂଚ ଏବଂ ଉପାନ୍ତ ଅଂଚଳରେ ରହୁଥିବା ଲୋକମାନଙ୍କ ନିକଟରେ ପହଁଚିପାରିବ।୬୫୦ଟି ଜିଲ୍ଲାରେ ଆଇପିପିବି ଶାଖା ଖୋଲାଯାଇଛି।ସାରା ଦେଶରେ ୧.୫ ଲକ୍ଷରୁ ଊଦ୍ଧ୍ୱର୍ ପୋଷ୍ଟ ଅଫିସ ରହିଛି ଏବଂ ୩ ଲକ୍ଷ ପୋଷ୍ଟମ୍ୟାନ ଓ “ଗ୍ରାମୀଣ ଡାକ ସେବକ’ ଦେଶର ଲୋକମାନଙ୍କ ସହିତ ଯୋଡ଼ି ହୋଇ ରହିଛନ୍ତି ।ବର୍ତମାନ ଆର୍ଥିକ ସେବା ଯୋଗାଇବା ଲାଗି ସେମାନଙ୍କୁ ସ୍ମାର୍ଟଫୋନ ଏବଂ ଡିଜିଟାଲ ଉପକରଣ ଯୋଗାଇ ଦିଆଯିବ।
ଆଇପିପିବି ସୁବିଧା ମାଧ୍ୟମରେ ଏଣିକି ଟଙ୍କା ପଠାଇବା, ସରକାରୀ ଅର୍ଥ ହସ୍ତାନ୍ତର, ବିଲ ପଇଠ ଏବଂ ନିବେଶ ଓ ବୀମା ଭଳି ଅନ୍ୟ ସେବା ଉପଲବ୍ଧ ହୋଇପାରିବ।ଘରେ ଘରେ ପୋଷ୍ଟମ୍ୟାନମାନେ ଏହି ସେବା ଯୋଗାଇଦେବେ।ସେ କହିଥିଲେ ଯେ ଆଇପିପିବି ଡିଜିଟାଲ କାରବାର ଯୋଗାଇଦେବ ଏବଂ କୃଷକମାନଙ୍କୁ ସହାୟତା ଯୋଗାଇ ଦେଉଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଲାଭ ପହଂଚାଇପାରିବ।୩ ଲକ୍ଷ “ଡାକ ସେବକ’ ଗ୍ରାମର ପ୍ରତ୍ୟେକ ଘରେ, ପ୍ରତ୍ୟେକ କୃଷକ ନିକଟରେ ଏବଂ ଉଦ୍ୟୋଗୀ ନିକଟରେ ଆର୍ଥିକ ସେବା ପହଁଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ।ଗତ ମାସଗୁଡ଼ିକରେ “ଡାକ ସେବକମାନଙ୍କ କଲ୍ୟାଣ ପାଇଁ ଏବଂ ସେମାନଙ୍କ ଦୀର୍ଘଦିନର ଦାବି ପୂରଣ ଲାଗି ବ୍ୟାପକ ପଦକ୍ଷେପ ନିଆଯାଇଛି।ଏହାଦ୍ୱାରା ସେମାନଙ୍କ ଦରମାରେ ବୃଦ୍ଧି ହୋଇଥିବା ସେ ଉଲ୍ଲେଖ କରିଥିଲେ।ଆସନ୍ତା କିଛି ମାସ ମଧ୍ୟରେ ସାରା ଦେଶରେ ଥିବା ୧.୫ ଲକ୍ଷ ପୋଷ୍ଟ ଅଫିସରେ ଆଇପିପିବି ପହଁଚିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।


