ନୂଆଦିଲ୍ଲୀ: ବିପିନ ରାୱତଙ୍କ ହେଲିକପ୍ଟର MI-17V5 ଦୁର୍ଘଟଣା ନେଇ ବାୟୁସେନାର କୋର୍ଟ ଅଫ୍ ଇନ୍କ୍ୱାରୀ ପ୍ରାୟ ଶେଷ ହୋଇଛି। ଖରାପ ପାଣିପାଗ ଓ କମ ଭିଜିବିଲିଟି କାରଣରୁ ଦୁର୍ଘଟଣା ହୋଇଥିବା ନେଇ ତଦନ୍ତକାରୀ ଟିମ ସୂଚନା ପ୍ରଦାନ କରିଛି। ଯଦିଓ ଏନେଇ ସରକାରୀ ସ୍ତରରେ କୌଣସି ବିବୃତ୍ତି ଆସିନାହିଁ। କିନ୍ତୁ ଏହା ପଛର ମୁଖ୍ୟ କାରଣ ଖରାପ ପାଗ ବୋଲି କୁହାଯାଉଛି। ଏୟାର ମାର୍ଶଲ ମନବେନ୍ଦ୍ର ସିଂଙ୍କ ନେତୃତ୍ୱରେ ହୋଇଥିବା ତଦନ୍ତରୁ ଜଣାପଡିଛି ଯେ, ଖରାପ ପାଗ ଯୋଗୁଁ ସିଡିଏସଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି।
ସାଧାରଣ ଭାବରେ ପାଇଲଟ ବୈଷୟିକ ଧ୍ୟାନ ହରାଇଲେ କିମ୍ବା ପରିସ୍ଥିତିର ସଠିକ୍ ପୂର୍ବାନୁମାନ ନକଲେ ଏମିତି ଦୁର୍ଘଟଣା ହୁଏ। ହେଲେ ପାଇଲଟ୍ଙ୍କ ସହ ଏହା ହୋଇଥିଲା କି ନାହିଁ ସେନେଇ ବିସୃତ ରିପୋର୍ଟ ପ୍ରକାଶ ପାଇନାହିଁ। ବିଶେଷଜ୍ଞଙ୍କ ମତରେ, ହେଲିକପ୍ଟର ଲ୍ୟାଣ୍ଡ କରିବା ସମୟରେ ଖରାପ ପାଗ ଯୋଗୁଁ ଏହିପରି ଦୁର୍ଘଟଣା ପ୍ରାୟତଃ ଘଟେ। ଏଭଳି ପରିସ୍ଥିତିରେ ପାଇଲଟଙ୍କ ପାଇଁ ହେଲିକପ୍ଟରକୁ ନିୟନ୍ତ୍ରଣ କରିବା ପ୍ରାୟ ଅସମ୍ଭବ ହୋଇପଡେ। ତେବେ MI-17V5 ହେଲିକପ୍ଟରରେ କୌଣସି ଯାନ୍ତ୍ରିକ ତ୍ରୁଟି ନଥିଲା ବୋଲି ତଦନ୍ତ କମିଟି ସ୍ପଷ୍ଟ କରିଛନ୍ତି।
ବର୍ତ୍ତମାନ ତଦନ୍ତକାରୀ ଦଳ ଏହି ରିପୋର୍ଟକୁ ଆହୁରି ସ୍ପଷ୍ଟ କରିବା ପାଇଁ ବାୟୁସେନାର ଆଇନ ବିଭାଗର ପରାମର୍ଶ ନେଉଛନ୍ତି। ସୂଚନା ଅନୁସାରେ ସବିଶେଷ ରିପୋର୍ଟ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ଭି.ଆର. ଚୌଧୁରୀଙ୍କୁ ହସ୍ତାନ୍ତର କରାଯିବ। ଆଉ ଏହାପରେ ଦୁର୍ଘଟଣାର ପୂରା ସତ ସାମ୍ନାକୁ ଆସିବ। ଗତ ମାସରେ ତାମିଲନାଡୁର କୁନ୍ନୁରରେ ଦେଶ ପ୍ରଥମ ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର କ୍ରାଶ ହୋଇଥିଲା। ଏଥିରେ ରାୱତଙ୍କ ସମେତ ତାଙ୍କ ପତ୍ନୀ ମଧୁଲିକା ରାୱତ ଓ ଅନ୍ୟ ୧୧ ଜଣ କ୍ରୁ ମେମ୍ବରଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ବାୟୁସେନା ହେଲିକପ୍ଟର MI-17V5ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ତେବେ ଦୁର୍ଘଟଣା ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ କେନ୍ଦ୍ର ସରକାର ଦେଇଥିଲେ। ଆଉ ରିପୋର୍ଟକୁ ଏବେ ସମସ୍ତଙ୍କର ଅପେକ୍ଷା ରହିଛି।


