ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ଦ୍ୱାରା ଆୟୋଜିତ ସମ୍ବର୍ଦ୍ଧନା ସଭାକୁ ନେଇ ଚର୍ଚ୍ଚା । ଜଗତସିଂହପୁର ଜିଲ୍ଲା ବିଜେଡିର ନବନିଯୁକ୍ତ ସହପର୍ଯ୍ୟବେକ୍ଷକ ପ୍ରତାପ ଜେନା ଓ କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ମୁଦୁଲିଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଜଗତସିଂହପୁରରେ କାର୍ଯ୍ୟକ୍ରମ ଆୟୋଜନ ନକରି ଶ୍ରୀଦାସ ନିଜର ଶତାଧିକ ସମର୍ଥକଙ୍କ ଗହଣରେ ଭୁବନେଶ୍ୱରରେ ଏହି କାର୍ଯ୍ୟକ୍ରମ କରିବା ପରେ ଜିଲ୍ଲା ବିଜେଡି ସରଗରମ ହୋଇଛି ।
ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ବିଜେଡିରୁ ବହିଷ୍କାର କରାଯିବା ପରେ ବିଭିନ୍ନ ବୟାନ ଦେଇ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିବା ଶ୍ରୀ ଦାସ ନିଜ ପାଦ ତଳୁ ମାଟି ଖସୁଥିବା ଜାଣି ଆଜି ଏଭଳି ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିବା ଜଣାପଡ଼ିଛି । ଦାମଙ୍କ ପ୍ରଭାବକୁ ରୋକିବା ଓ ବିଷ୍ଣୁଙ୍କ ଦୁର୍ବଳ ସାଂଗଠନିକ ସ୍ଥିତିକୁ ସଜାଡ଼ିବା ପାଇଁ ଦଳ ପକ୍ଷରୁ ଜଗତସିଂହପୁର ଜିଲ୍ଲା ପାଇଁ ପ୍ରତାପ ଓ ପ୍ରଶାନ୍ତଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି । ବିଷ୍ଣୁଙ୍କ ଅଜାଣତରେ ଏହି ଦୁଇ ଯୁବନେତାଙ୍କୁ ଜିଲ୍ଲା ସଂଗଠନ ଦାୟିତ୍ୱ ଦିଆଯାଇଥିଲା । ତେବେ ନିଜର ସ୍ଥିତି ଦୁର୍ବଳ ହେଉଥିବା ଦେଖି ଶ୍ରୀ ଦାସ ଆଜି ନିଜର ପ୍ରାୟ ୩୦୦ ସମର୍ଥକଙ୍କ ସହ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦାମଙ୍କ ବହିଷ୍କାର ପାଇଁ ଧନ୍ୟବାଦ ଜଣାଇବାକୁ ଚାହିଁଥିଲେ । କିନ୍ତୁ ତାଙ୍କୁ ଭେଟିବା ପାଇଁ ବିଜେଡି ସୁପ୍ରିମୋ ସମୟ ଦେଇନଥିବା ଜଣାପଡ଼ିଛି ।
ଗତକାଲି ତାଙ୍କର ବିରୋଧୀ ତଥା ତିର୍ତୋଲ ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକ ନିଜର ୨ହଜାରରୁ ଊଦ୍ଧ୍ୱର୍ ସମର୍ଥକଙ୍କ ସହ ନବୀନ ନିବାସରେ ଦଳର ସୁପ୍ରିମୋଙ୍କୁ ଭେଟି ଡାକ୍ତର ରାଉତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଧନ୍ୟବାଦ ଜଣାଇଥିଲେ । ରାଜଶ୍ରୀଙ୍କ କାର୍ଯ୍ୟକ୍ରମକୁ ଦେଖି ବିଷ୍ଣୁ ମଧ୍ୟ ନିଜର ସମର୍ଥକମାନଙ୍କୁ ଆଣି ନବୀନ ନିବାସ ଯିବା ପାଇଁ ପ୍ରୟାସ କରିଥିଲେ । ନିଜର ସମର୍ଥକମାନଙ୍କୁ ନବୀନ ନିବାସ ଯିବା ପାଇଁ ଡାକିଥିଲେ ସୁଦ୍ଧା ଶେଷମୁହୂର୍ତରେ କାର୍ଯ୍ୟକ୍ରମ ପରିବର୍ତନ କରି କସ୍ତୁରବା ନାରୀମହଲରେ ଏଭଳି ସମ୍ବର୍ଦ୍ଧନା ସଭା ଆୟୋଜନ କରିଥିବା ଜଣାପଡ଼ିଛି ।
ନବୀନ ନିବାସ ସୂତ୍ର ଅନୁସାରେ ରାଜଶ୍ରୀ ପୂର୍ବରୁ ବିଷ୍ଣୁଙ୍କ ବିରୋଧୀ ଓ ଦାମଙ୍କ ସମର୍ଥକ ଭାବେ କାର୍ଯ୍ୟ କରୁଥିଲେ । ଦାମଙ୍କୁ ଦଳରୁ ବହିଷ୍କାର କରିବା ପରେ ନବୀନ ନିବାସ ଆସି ସୁପ୍ରିମୋଙ୍କ ନିଷ୍ପତିକୁ ରାଜଶ୍ରୀ ସମର୍ଥନ ଦେବା ରାଜନୀତିକ ଆବଶ୍ୟକତା ଥିଲା । କିନ୍ତୁ ବିଷ୍ଣୁ ତ ପୂର୍ବରୁ ଦାମଙ୍କ କଟ୍ଟରବିରୋଧୀ । ତେଣୁ ସିଏ ଆସି ସୁପ୍ରିମୋଙ୍କୁ ଧନ୍ୟବାଦ ଦେବାର କୌଣସି ଆବଶ୍ୟକତା ନଥିବାରୁ ସମର୍ଥକଙ୍କ ସହ ନବୀନ ନିବାସ ଆସିବା ପାଇଁ ଅନୁମତି ମିଳିନାହିଁ । ନବୀନ ନିବାସରୁ ନାସ୍ତିବାଣୀ ଶୁଣିବା ପରେ ବିଷ୍ଣୁ ନିଜର ସମର୍ଥକଙ୍କୁ ଧରି ରାଜଧାନୀର କସ୍ତୁରବା ନାରୀମହଲରେ ଜିଲ୍ଲାର ନୂଆ ସହପର୍ଯ୍ୟବେକ୍ଷକ ପ୍ରତାପ ଜେନା,କାର୍ଯ୍ୟକାରୀ ସଭାପତି ଶ୍ରୀ ମୁଦୁଲି ଓ ରାଜ୍ୟ ମହିଳା ବିଜେଡି ସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି । ତେବେ ଏହି ସମ୍ବର୍ଦ୍ଧନା ସଭାରେ ବି ବିଷ୍ଣୁଙ୍କ ସମର୍ଥକମାନେ ତିର୍ତୋଲ ନିର୍ବାଚନମଣ୍ଡଳୀରୁ ରାଜଶ୍ରୀଙ୍କୁ ହଟାଇବା ଭଳି ସ୍ୱର ଉଠାଇବାକୁ ପଛାଇ ନଥିବା ଜଣାପଡ଼ିଛି ।


