ଭୁବନେଶ୍ୱର : କ୍ରମାଗତ ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ଆଜି ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଛି । ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ଗତ ୩ଦିନ ଧରି ସାରା ରାଜ୍ୟରେ ଜନଆନ୍ଦୋଳନ ହେବା ପରେ ବିଜେଡି ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ସାଧାରଣ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ବିଜେଡି ଉପସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଦଳର ପ୍ରତିନିଧିମାନେ ଆଜି ରାଜଭବନ ଯାଇଥିଲେ । ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ ଜନସାଧାରଣ କିପରି ଏହି ଦରବୃଦ୍ଧି କଷ୍ଟ, ଦୁଃଖ ଏବଂ ବେଦନାରୁ ମୁକ୍ତି ପାଇବେ ସେଥିପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳଙ୍କ ମାଧ୍ୟମରେ ଜଣାଇବାକୁ ଅନୁରୋଧ କଲୁ, ଯିଏକି ପ୍ରଭାବିତ କରିବେ କେନ୍ଦ୍ର ସରକାରଙ୍କୁ ତୈଳ ଦର ହ୍ରାସ କରିବା ପାଇଁ । ଯଦି କେନ୍ଦ୍ର ସରକାର ଏହା ନକରନ୍ତି, ତେବେ ବିଜୁ ଜନତା ଦଳ ଏହି ଯେଉଁ ଆନ୍ଦୋଳନ ଆରମ୍ଭ କରିଛି, ତାକୁ ଆଗକୁ ନେବ । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଯେତେ କମୁଛି, ସେହି ଅନୁସାରେ ଦେଶରେ ତୈଳ ଦର ବଢ଼ିବାରେ ଲାଗିଛି । ଭାରତବାସୀ ତଥା ଓଡ଼ିଶାବାସୀଙ୍କ ସହିବାର ସୀମାକୁ ଏହା ଅତିକ୍ରମ କରିସାରିଲାଣି । ଏହା ହେଉଛି କେନ୍ଦ୍ର ସରକାରଙ୍କ ଜନସାଧାରଣଙ୍କଠୁ ଲୁଟ୍ ଏବଂ ପେଟରେ ଲାତ ମାରିବା ଛଡ଼ା ଆଉ କିଛି ନୁହେଁ । ବିଜେଡି ଓଡ଼ିଶାରେ ଏହି ଦର ବୃଦ୍ଧି ପ୍ରତିବାଦରେ କ୍ରମାଗତ ଭାବେ ସ୍ୱର ଉତ୍ତୋଳନ କରିଚାଲିଛି । ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଉପସଭାପତି ଦେବୀ ପ୍ରସାଦ ମିଶ୍ର, ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ ଦାସ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ମହିଳା ବିଜେଡି ଉପ-ସଭାପତି ଗୀତାଞ୍ଜଳି ବସ୍ତିଆ ପ୍ରମୁଖ ଯୋଗ ଦେଇଥିଲେ ।


