ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟର ସମସ୍ତ ୧୪୭ଟି ବିଧାନସଭା ନିର୍ବାଚନମଣ୍ଡଳୀର ୧୦ଜଣ ସଫଳ ମହିଳାଙ୍କୁ ବିଜେଡି ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ। ଏଥିପାଇଁ ବିଜେଡି ସୁପି୍ରମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ରାଜ୍ୟ କର୍ମକର୍ତ୍ତା, ଛାମୁଆ ସଂଗଠନ ମୁଖ୍ୟ ଓ ନିର୍ବାଚିତ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖି ନିଦେ୍ର୍ଧଶ ଦେଇଛନ୍ତି।
ବିଜୁବାବୁଙ୍କ ୧୦୪ତମ ଜନ୍ମ ଜୟନ୍ତୀକୁ ଦଳ ପକ୍ଷରୁ ମାର୍ଚ୍ଚ ୫ରୁ ୨୦ତାରିଖ ଯାଏଁ ପାଳନ କରାଯାଉଥିବାରୁ ଏହି ଅବଧି ମଧ୍ୟରେ ବିଜେଡିକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ମାର୍ଚ୍ଚ ୮ତାରିଖ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଉଥିବାରୁ ଦଳର ମହିଳା ସଂଗଠନ ପକ୍ଷରୁ ନିର୍ବାଚନମଣ୍ଡଳୀସ୍ତରରେ ମହିଳା ସମାବେଶ ଆୟୋଜନ କରାଯାଇ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୦ଜଣ ସଫଳ ମହିଳାଙ୍କୁ ସମ୍ମାନିତ କରାଯିବା ସହ ମହିଳା ସଶକ୍ତିକରଣ ଦିଗରେ ବିଜୁବାବୁଙ୍କ ଅବଦାନ ଓ ନବୀନ ପଟ୍ଟନାୟକଙ୍କ ୨୦ବର୍ଷ ଶାସନ କାଳରେ ମହିଳାଙ୍କ ସଶକ୍ତିକରଣ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି।


