କେନ୍ଦ୍ରାପଡ଼ା(ଓଡ଼ିଶା ୱେୟାର): ଗ୍ୟାଙ୍ଗ୍ଷ୍ଟର ଟିଟୋର ପତ୍ନୀ ନାମରେ କେନ୍ଦ୍ରାପଡାରେ ଥିବା ସୟଦ୍ ବ୍ରଦର୍ସ ଫିଲିଂ ଷ୍ଟେସନ୍ରେ ଆଜି ସିବିଆଇ ଚଢ଼ଉ କରିଛି। ଭୁବନେଶ୍ୱର ସିବିଆଇ ଶାଖାର ଏକ ୬ ଜଣିଆ ଟିମ୍ ଆଜି ଘଣ୍ଟାଏ କାଳ ପେଟ୍ରୋଲ ପମ୍ପ ଅଫିସ ଭିତରେ ରହି ରେକର୍ଡପତ୍ର ଯାଞ୍ଚ କରିବା ସହ ସେଠାରୁ କେତେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ ଜବତ କରିଥିବା ଜଣାପଡ଼ିଛି। କ୍ରାଇମବ୍ରାଞ୍ଚର ଏସ୍ଟିଏଫ ଟିଟୋ ସଂକ୍ରାନ୍ତରେ ତଦନ୍ତ କରୁଥିବା ବେଳେ ଏହି ପେଟ୍ରୋଲ ପମ୍ପକୁ ୨୦୧୮ ଅଗଷ୍ଟରେ ସିଲ କରି ରଖିଥିଲା।
ମିଳିଥିବା ସୂଚନା ଅନୁସାରେ, ସ୍ବତନ୍ତ୍ର ଟାସ୍କ ଫୋର୍ସର ଡିଏସ୍ପି ତପନ କୁମାର ମହାନ୍ତି ଓ ରାମଚନ୍ଦ୍ର ଥମ୍ବଙ୍କ ଉପସ୍ଥିତିରେ ଆଜି ପେଟ୍ରୋଲ ପମ୍ପ୍ ସିଲ ଖୋଲା ଯାଇଥିଲା। ସିବିଆଇ ଇନ୍ସପେକ୍ଟର ସତ୍ୟନାରାୟଣ ଚିନ୍ମମ୍ ଓ ଇନ୍ସପେକ୍ଟର ସରୋଜ ଆଚାର୍ଯ୍ୟଙ୍କ ନେତୃତ୍ବରେ ଏହି ଟିମ୍ ପେଟ୍ରୋଲ ପମ୍ପ୍ ଭିତରେ ଛାନ୍ଭିନ କରିଥିଲେ। ଗୋଟିଏ ପରେ ଗୋଟିଏ ୩ଟି କୋଠରୀ ଖୋଲି ଭିତରେ ରେକର୍ଡପତ୍ର ଘାଣ୍ଟି ଥିଲେ। ସେଠାରୁ ଜବତ କରାଯାଇଥିବା ଦସ୍ତାବିଜ୍ ସମ୍ପର୍କରେ ସିବିଆଇ ଅଧିକାରୀ କୌଣସି ସୂଚନା ଦେବାକୁ ମନା କରି ଦେଇଥିବା ବେଳେ ପମ୍ପ୍ ମାଲିକାନା ଓ କାରବାର ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ ଜବତ କରିଥିବା ସୂଚନା ମିଳିଛି। ଏହି ରେକର୍ଡ ପତ୍ରରେ ପେଟ୍ରୋଲ ପମ୍ପ୍ ଟିଟୋର ପତ୍ନୀ ବେନଜିର ବିବିଙ୍କ ନାମରେ ଥିବାରୁ ଗତ ୨୯ ତାରିଖରେ ସିବିଆଇ ଟିମ୍ ଟିଟୋର ଦିଲାରପୁରସ୍ଥିତ ବାସଭବନରେ ଚଢ଼ଉ କରି ପେଟ୍ରୋଲ ପମ୍ପ୍ ମାଲିକାନା ସମ୍ପର୍କିତ ଦସ୍ତାବିଜ୍ ସମ୍ପର୍କରେ ଖୋଳତାଡ଼ କରିଥିଲେ। ଏଥରକୁ ମିଶାଇ ସିବିଆଇ ଟିମ୍ କେନ୍ଦ୍ରାପଡ଼ାକୁ ୩ ଥର ଆସି ପେଟ୍ରୋଲ ପମ୍ପ୍ ହାତେଇଥିବା ସମ୍ପର୍କରେ ଛାନଭିନ କରିଛି। ବେନଜିର ବିବିଙ୍କ ନାମରେ ଦୁଇଟି ମାମଲା ବିଚାରାଧୀନ ଥିବାବେଳେ ଏହି ପେଟ୍ରୋଲ ପମ୍ପ୍କୁ କେଉଁ ଅଧିକାରୀ ଏନ୍ଓସି ଦେଇଥିଲେ ଓ ଅନ୍ୟ କେଉଁ ରାଜନେତାଙ୍କ ହାତ ଥିଲା କି ନା ସେ ନେଇ ସିବିଆଇ ତଥ୍ୟ ସ˚ଗ୍ରହ କରୁଛି ।


