ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାର ଆବେଦନ ଫର୍ମ ଦାଖଲ ଶେଷ ତାରିଖ ଅବଧିକୁ ବୃଦ୍ଧି କରାଯାଇଛି।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ଏହି ଆବେଦନ ଅବଧି ୧୦ରୁ ୧୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। କାଳିଆ ଯୋଜନାରେ ସାମିଲ ହେବା ପାଇଁ ଚାଷୀମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏ ନେଇ ଆବେଦନ ଅବଧିକୁ ବୃଦ୍ଧି କରିବାକୁ ନିର୍ଦେଶ ଦେଇଥିଲେ। ଦ୍ବିତୀୟ ପର୍ୟ୍ୟାୟର ଆବେଦନ ଜାନୁଆରି ୨୫ରୁ ଆରମ୍ଭ ହୋଇ ଫେବ୍ରୁଆରି ୫ ତାରିଖ ପର୍ୟ୍ୟନ୍ତ ଚାଲିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆବଶ୍ୟକ ସ୍ଥଳେ ତୃତୀୟ ପର୍ୟ୍ୟାୟ ଆବେଦନ ପାଇଁ ପରବର୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କାଳିଆ ଯୋଜନାରୁ ଯେପରି ଜଣେ ହେଲେ ବି ଯୋଗ୍ୟ ଚାଷୀ ବାଦ୍ ନ ପଡ଼ନ୍ତି, ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ‘କାଳିଆ’ ଯୋଜନାର କାର୍ୟ୍ୟାନ୍ବୟନ ସଂପର୍କରେ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।
ଅପର ପକ୍ଷରେ ରାଜ୍ୟର ବିଭିନ୍ନ ପଞ୍ଚାୟତରେ କାଳିଆ ଯୋଜନାର ଫର୍ମ ମିଳୁ ନଥିବା ନେଇ ଗଦା ଗଦା ଅଭିଯୋଗ ପହଞ୍ଚିବାରେ ଲାଗିଛି। ଫର୍ମ ମିଳୁ ନ ଥିବାରୁ କିଛି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଯେଉଁଠି ଫର୍ମ ଉପଲବ୍ଧ ହେଉ ନାହିଁ, ସେଠାରେ ଆବଶ୍ୟକ ସ୍ଥଳେ ସବୁଜ ଓ ନାଲି ଫର୍ମର ଜେରକ୍ସକୁ ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି ସଚିବ ସ୍ପଷ୍ଟ କରିଛନ୍ତି। ସେହିପରି କାଳିଆ ଯୋଜନାର ସଫଳ କାର୍ୟ୍ୟକାରିତା ପାଇଁ ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ବ୍ଲକ୍ରେ ପର୍ୟ୍ୟବେକ୍ଷକ ଭାବେ ନିଯୁକ୍ତି ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ପ୍ରମୁଖ ସଚିବ କହିଛନ୍ତି।


