ଭୁବନେଶ୍ୱର: ଓଡ଼ିଶାରେ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ଝାରସୁଗୁଡ଼ା ବିମାନ ବନ୍ଦରକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୧୩ତାରିଖରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁଙ୍କୁ ଚିଠି ଲେଖି ଝାରସୁଗୁଡ଼ା ବିମାନ ବନ୍ଦରକୁ ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ସ୍ଥାନୀୟ ଲୋକଙ୍କ ପ୍ରବଳ ଦାବି ଏଥିପାଇଁ ହେଉଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହା ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ହେବ ତଥା ପଶ୍ଚିମ ଓଡ଼ିଶାର ଆବଶ୍ୟକତାକୁ ପୂରଣ କରିବ । ବୀରସୁରେନ୍ଦ୍ର ସାଏ ମଧ୍ୟ ସେହି ଅଞ୍ଚଳର । ତେଣୁ ବିମାନ ବନ୍ଦରକୁ ତାଙ୍କ ନାମରେ ନାମିତ କରାଗଲେ ସେହି ମାଟିର କିମ୍ବଦନ୍ତୀ ସନ୍ତାନଙ୍କ ପ୍ରତି ଉପଯୁକ୍ତ ସମ୍ମାନ ହେବ । ଏହି ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ସକରାତ୍ମକ ଭାବେ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ଝାରସୁଗୁଡ଼ା ବିମାନ ବନ୍ଦରରୁ ଉଡ଼ାଣ ପାଇଁ ବେସାମରିକ ବିମାନ ବନ୍ଦର ପ୍ରାଧିକରଣ ଅନୁମତି ମିଳିସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୫ତାରିଖରେ ଏହାକୁ ଉଦ୍ଘାଟନ କରିବାର ସମ୍ଭାବନା ରହିଛି ।


