ଭୁବନେଶ୍ୱର(ଓଡବ୍ଲ୍ୟୁ): ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଆଜି ପୁଣିଥରେ ନୂଆ ଆଂଚଳିକ ଦଳ ଗଠନ କରିବେ ବୋଲି ଘୋଷଣା କରିଛନ୍ତି । ଅକ୍ଟୋବର ମାସ ଶେଷ ସୁଦ୍ଧା ଦଳ ଗଢ଼ିବେ ବୋଲି ପୂର୍ବରୁ ସଙ୍କେତ ଦେଇଥିବା ଡାକ୍ତର ରାଉତ ଆଜି ନିଜର ନୂଆ ଦଳର ରୂପରେଖ ନଭେମ୍ବର ୧୨ତାରିଖ ସୁଦ୍ଧା ସ୍ପଷ୍ଟ ହେବ ବୋଲି କହିଛନ୍ତି ।
ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି ଯେ ବିଜୁଙ୍କ ଆଦର୍ଶ ବାହାରେ କାମ କରୁଥିବା ଗୋଷ୍ଠୀଙ୍କୁ ପ୍ରତିହତ କରିବା ପାଇଁ ତାଙ୍କର ଏହି ନୂଆ ଦଳ କାମ କରିବ । ବିଜୁ ବାବୁଙ୍କ ନାଁରେ ଦଳ ଗଠନ ପାଇଁ ସେ ପ୍ରସ୍ତାବ ଦେବେ । ଆସନ୍ତା ୯ ଓ ୧୦ ତାରିଖରେ ଏନେଇ ବୈଠକ ବସିବ । ୧୨ତାରିଖ ସୁଦ୍ଧା ଦଳ ଗଠନର ସ୍ପଷ୍ଟ ଚିତ୍ର ମିଳିବ ।
ବିଜୁଙ୍କ ସହ କାମ କରିଥିବା କିଛି ପୁରୁଣା ନେତା ତାଙ୍କ ସହ ଏନେଇ ଯୋଗଯୋଗରେ ରହିଛନ୍ତି । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ନୂଆ ଦଳରେ ସାମିଲ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ତାଙ୍କର ନୂଆ ଗଠନରେ ରାଜ୍ୟ ସରକାର ବାଧକ ସାଜିଛନ୍ତି । ଜାଣିଶୁଣି ନେତାଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବା ଦିଗରେ ରାଜ୍ୟ ସରକାର କାମ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।


