ଭୁବନେଶ୍ୱର(ଓଡବ୍ଲ୍ୟୁ): ବିଶ୍ୱକପ୍ ହକି ମ୍ୟାଚ୍ ପାଇଁ କାଉଂଟଡାଉନ୍ ଆରମ୍ଭ ହୋଇଥିବାବେଳେ ଅନଲାଇନରେ ଟିକେଟ ବୁକ୍ କରିଥିବା କ୍ରୀଡ଼ାପ୍ରେମୀଙ୍କ ଆଜିଠୁ ଷ୍ଟାଡ଼ିୟମ ବକ୍ସ ଅଫିସରେ କାଉଂଟର ଖୋଲିଛି । ଯେଉଁ ଦର୍ଶକମାନେ ଅନଲାଇନରେ ଟିକେଟ୍ ବୁକିଂ କରିଥିବେ ସେମାନେ ଉକ୍ତ ଭାଉଚର ଦେଖାଇ କାଉଂଟରକୁ ଟିକେଟ୍ ସଂଗ୍ରହ କରିପାରିବେ ବୋଲି ବିଶ୍ୱକପ୍ ପୁରୁଷ ହକିର ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ନଭେମ୍ବର ୫ତାରିଖରୁ ଖୋଲାଯାଇଥିବା ଭୁବନେଶ୍ୱରର ବିଭିନ୍ନ କାଉଂଟରରେ ଟିକେଟ୍ ବିକ୍ରିକୁ ନେଇ ସ୍ଥାନୀୟ ହକିପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି । ତେବେ ଯେଉଁମାନେ ଅନଲାଇନରେ ଟିକେଟ୍ ବୁକ କରିଥିଲେ ସେମାନେ କଳିଙ୍ଗ ଷ୍ଟାଡ଼ିୟମର ଗେଟ୍ ନଂ-୪ରେ ଶୁକ୍ରବାରଠାରୁ ନିଜର ଭାଉଚର ଦେଖାଇ ଟିକେଟ୍ ସଂଗ୍ରହ କରିପାରିବେ । ଏହା ପ୍ରତ୍ୟେକ ଦିନ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ।
ହକି ଇଣ୍ଡିଆର ମହାସଚିବ ରାଜିନ୍ଦେର ସିଂ କହିଛନ୍ତି ଯେ ବିଶ୍ୱକପ୍ ପୁରୁଷ ହକି-୨୦୧୮କୁ ନେଇ କିଭଳି ଉତ୍ସାହ ରହିଛି ତାହା ଦେଖିବାକୁ ହେଲେ ଜଣେ କଳିଙ୍ଗ ଷ୍ଟାଡ଼ିୟମର ଟିକେଟ ବିକ୍ରୟ କେନ୍ଦ୍ରକୁ ଗଲେ ସହଜରେ ଅନୁଭବ କରିପାରିବେ । ହକି ପ୍ରତି ରାଜ୍ୟର ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥିବା ଉତ୍ସାହ ଅଧିକ ଆତ୍ମବିଭୋର କରିଛି । ନଭେମ୍ବର ୨୮ରୁ ଡିସେମ୍ବର ୧୬ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ହକି ବିଶ୍ୱକପର ଉଦଘାଟନୀ ମ୍ୟାଚ ବିଶ୍ୱର ୩ନମ୍ବର ବେଲଜିୟମ ଓ ୧୧ ନମ୍ବର ସ୍ଥାନରେ ଥିବା କାନାଡ଼ା ମଧ୍ୟରେ ହେବ । ଆୟୋଜକ ଭାରତ ମଧ୍ୟ ଉଦଘାଟନୀ ଦିବସର ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ବୋଲି ଶ୍ରୀ ସିଂ କହିଛନ୍ତି ।


