ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଓ ଘର
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ତିତଲି’ ରାଜ୍ୟରେ କିଭଳି ତାଣ୍ଡବଲୀଳା ରଚିଥିଲା ତା’ର ଭୟଙ୍କର ଚିତ୍ର ଏବେ ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି । ତିତଲିରେ ୫୭ଜଣ ପ୍ରାଣ ହରାଇଥିବା ରାଜ୍ୟ ସରକାର ସ୍ୱୀକାର କରିଥିବାବେଳେ ୨୨ଶହ କୋଟି ଟଙ୍କାର କ୍ଷତି ହୋଇଥିବା ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି । ଏପଟେ ସର୍ବାଧିକ କ୍ଷତିଗ୍ରସ୍ତ ଗଜପତି ଜିଲ୍ଲାର ବାରଘର ଗାଁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଲି ଯିବା ସହ ମୃତକଙ୍କ ପାଇଁ ଅନୁକମ୍ପାମୂଳକ ସହାୟତାକୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ବାତ୍ୟାଂଚଳ ବୁଲିବା ସହ ପାରଳାଖେମୁଣ୍ଡିରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗଜପତି ଜିଲ୍ଲାରେ ପାହାଡ଼ ଉପରେ ରହିଥିବା ୬୭ ପରିବାରକୁ ମହେନ୍ଦ୍ରତନୟା ପାହାଡ଼ ତଳେ ଜମି ଯୋଗାଇ ଦିଆଯାଇଛି । ଆଜି ସେମାନଙ୍କୁ ଜମି ପଟ୍ଟା ଦିଆଯାଇଛି ଓ ସେମାନଙ୍କୁ ଖୁବଶୀଘ୍ର ପକ୍କାଘର ଯୋଗାଇ ଦିଆଯିବ । ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ନିକଟ ସମ୍ପର୍କୀୟଙ୍କୁ ୪ଲକ୍ଷ ଟଙ୍କା ବଦଳରେ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ । ତା’ଛଡ଼ା ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ରିଲିଫ୍ କାର୍ଯ୍ୟ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଆଜି ପାରଳାଖେମୁଣ୍ଡିରୁ ଭିଡିଓ କନଫରେନ୍ସିଂରେ ମୁଖ୍ୟ ସଚିବ ଆଦିତ୍ୟପ୍ରସାଦ ପାଢ଼ୀ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନାବେଳେ ବାତ୍ୟା ପରିସ୍ଥିତିର ସମୀକ୍ଷା କରିଥିଲେ । ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି ଏବଂ ଗଜପତି ଜିଲ୍ଲାରେ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି।ଦିନେଦୁଇଦିନ ମଧ୍ୟରେ ସ୍ଥିତି ସାମାନ୍ୟ ହୋଇଯିବ ବୋଲି ସରକାର କହିଛନ୍ତି ।
ମୁଖ୍ୟ ସଚିବ ଶ୍ରୀ ପାଢ଼ୀ କହିଛନ୍ତି ଯେ ତିତଲିରେ ମୋଟ ୫୭ଜଣ ପ୍ରାଣ ହରାଇଛନ୍ତି । ୧୦ଜଣ ଏବେ ନିଖୋଜ ଅଛନ୍ତି । ଗଜପତିରେ ସର୍ବାଧିକ ୩୯ଜଣ, ଗଞ୍ଜାମରେ ୧୨ଜଣଙ୍କ ମୃତ୍ୟୁ ଘଟିଛି । ପ୍ରାଥମିକ ଆକଳନରୁ ମୋଟ ୨୨୦୦କୋଟି ଟଙ୍କାର କ୍ଷତି ଘଟିଛି । ୫୦୦କୋଟି ଟଙ୍କା ରାସ୍ତାଘାଟ ମରାମତି ପାଇଁ ଲାଗିବାକୁ ଥିବାବେଳେ ୧୫୦କୋଟି ଟଙ୍କା ଗୃହ ନିର୍ମାଣ ଏବଂ ୧୩୫ କୋଟି ଟଙ୍କା ବିଦ୍ୟୁତ ସରବରାହ ପାଇଁ ଲାଗିବ । ଏବେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ ଥିବା ଅର୍ଥରୁ ଏହା ଭରଣା କରାଯିବ ଓ ଆବଶ୍ୟକ ପଡ଼ିଲେ କେନ୍ଦ୍ର ସରକାରଙ୍କୁ ସହାୟତା ମଗାଯିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି ।
ଅନ୍ୟପକ୍ଷରେ ମୃତ୍ୟୁ ସଂଖ୍ୟା ବଢ଼ିବାକୁ ନେଇ ରାଜ୍ୟ ସରକାରଙ୍କୁ ଉଭୟ ବିଜେପି ଓ କଂଗ୍ରେସ ତୀବ୍ର ସମାଲୋଚନା କରିଛନ୍ତି । ସରକାର ବାତ୍ୟା ମୁକାବିଲା କରିବାରେ ଫେଲ୍ ମାରିଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି ।


